ଭୋପାଳ: ଗୋସୁରକ୍ଷା ନାଁରେ ଚାଲିଥିବା ହିଂସା ଉପରେ ଲଗାମ ଲଗାଇବ ମଧ୍ୟପ୍ରଦେଶ ସରକାର । ଏହି ଆଇନ ମାଧ୍ୟମରେ ଗୋସୁରକ୍ଷା ନାଁରେ ହେଉଥିବା ହିଂସା କରୁଥିବା ବ୍ୟକ୍ତିଙ୍କୁ ଭୋଗିବାକୁ ପଡିବ କଠିନ ଦଣ୍ଡ । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ ଗୋବଂଶ ବଦ୍ଧ ପ୍ରତିଶେଷ ଅଧିନିୟମ-2004ରେ ସଂଶୋଧନ କରିବାର ମଞ୍ଜୁରୀ ଦିଆଯାଇଥିବା ପଶୁପାଳନ ମନ୍ତ୍ରୀ ଲାଖନ ସିଂହ ଯାଦବ କହିଛନ୍ତି । ସୂଚନାନୂସାରେ, କଂଗ୍ରେସ ସରକାର ଜୁଲାଇ 8 ତାରିଖରେ ହେବାକୁ ଥିବା ଆଗାମୀ ବିଧାନସଭା ଅଧିବେଶନରେ ଏହି ଅଧିନିୟମର ସଂଶୋଧନ ବିଲକୁ ଆଗତ କରିବେ । ଏହାପରେ ଏହି ବିଲ ପାରିତ ହୋଇ ଆଇନରେ ପରିଣତ ହେବାପରେ ଯଦି କେହି ବ୍ୟକ୍ତି ଗୋସୁରକ୍ଷା ନାଁରେ ହିଂସା ସୃଷ୍ଟି କରିବ ତାକୁ 6 ମାସରୁ ଆରମ୍ଭ କରି 3 ବର୍ଷ ପର୍ଯ୍ୟନ୍ତ 25 ହଜାରରୁ ଆରମ୍ଭ କରି 50 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।
ଆଉ ଯଦି କେହି ଗୋ-ହତ୍ୟା ନାଁରେ କୌଣସି ବ୍ୟକ୍ତିଙ୍କ ସହ ମାରପିଟ କରେ ତେବେ ତାହାର ସଜା ଆହୁରି ଦ୍ବି-ଗୁଣିତ କରିଦିଆଯିବ । ଜଣେ ଅଧିକାରୀଙ୍କ କହିବାନୂଯାୟୀ, ଯଦି କେହି ଏହି ହିଂସା କରିବାକୁ କାହାକୁ ଉସକାଏ ଓ ଅନ୍ୟର ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରନ୍ତି ତେବେ ସେହି ବ୍ୟକ୍ତିର ଦଣ୍ଡ ମଧ୍ଯ 2 ଗୁଣିତ କରାଯିବ ।