ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଇନ୍ଦୋରର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗର ଖାଦ୍ୟ ଇନ୍ସପେକ୍ଟର ମନୀଷ ସ୍ବାମୀଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି । ଇନ୍ଦୋର ସହରର ଜିଲ୍ଲାପାଳ ମନୀଷ ସିଂ ତଦନ୍ତ କରି ମନୀଷ ସ୍ୱାମୀଙ୍କୁ ନିଲମ୍ବିତ କରିଥିଲେ।
ସୂଚନା ଅନୁଯାୟୀ, ଗତ 23 ତାରିଖରେ ଶିବରାଜ ସିଂ ଚୌହାନ ଇନ୍ଦୋରରେ ପହଞ୍ଚିଥିଲେ। ସେହି ସମୟରେ ଶିବରାଜ ସିଂ ଚୌହାନଙ୍କୁ ଥଣ୍ଡା ଖାଦ୍ୟ ଦିଆଯାଇଥିଲା। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଅନୁସରଣ କରିବାରେ ଅବହେଳା ହେତୁ ମନିଷ ସ୍ବାମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କିନ୍ତୁ ପରେ ଏହି ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା।
ଏହାକୁ ନେଇ ଶିବରାଜ ସିଂ ଏକ ବିବୃତ୍ତିରେ କହିଛନ୍ତି, ‘ମୁଁ ଜଣେ ସାଧାରଣ ଲୋକ। ଶୁଖିଲା ରୁଟି ଖାଇବାରେ ମୋର କୌଣସି ଅସୁବିଧା ନାହିଁ । ମୋ ଖାଇବା ପାଇଁ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଜିଲ୍ଲା ଗସ୍ତ ସମୟରେ ମୋତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ତେବେ ମୁଁ ଏହାକୁ ଗୁରୁତ୍ୱ ଦିଏନାହିଁ ’ । ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ପାଇ ନିଲମ୍ବନକୁ ରଦ୍ଦ କରିଛନ୍ତି ।