ଲୁଧିଆନା: ଲୋକଙ୍କ ସୁରକ୍ଷା ପାଇଁ ସରକାର ଘୋଷଣା କରିଛନ୍ତି ଲକଡାଉନ । ହେଲେ ଲକଡାଉନକୁ ଉଲ୍ଳଙ୍ଘନ କରିବା ସେମାନଙ୍କ ଅଭ୍ୟାସ ପାଲଟିଛି । ନିୟମ ନମାନିବାକୁ ଲୋକେ ନିଜର ନିତିଦିନିଆ ଅଭ୍ୟାସ ବନାଉଛନ୍ତି । ଏହା ଭଲ ଲକ୍ଷଣ ନୁହେଁ ବୋଲି ପଞ୍ଜାବ ଲୁଧିଆନାର ଅତିରିକ୍ତ ପୋଲିସ କମିଶନର ଅଶ୍ବିନୀ କପୁର କହିଛନ୍ତି ।
ଲୁଧିଆନାରେ ପରିସ୍ଥିତି ବହୁତ ଖରାପ ହୋଇଛି । ଯଦିଚ ସେଠାରେ କୋରୋନା ସଂକ୍ରମିତ ଅଧିକ ନାହାଁନ୍ତି ତେବେ ଲୋକେ ଲକଡାଉନ ନିୟମ ପ୍ରତିଦିନ ଭାଙ୍ଗୁଛନ୍ତି । ଶୁକ୍ରବାର ଗୋଟିଏ ଦିନରେ ନିୟମ ଭାଙ୍ଗିବା ଅଭିଯୋଗରେ 1100 ଲୋକଙ୍କୁ ପୋଲିସ ଅଟକ ରଖିଛି । ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ସମସ୍ତଙ୍କଠାରୁ ଜୋରିମାନା ଆଦାୟ କରିଛି ପୋଲିସ ।
ତେବେ ଏଠାରେ ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କୁ ଚେତାବନୀ ଓ ବ୍ୟକ୍ତିଗତ ମୁଚଲିକା ପରେ ପୋଲିସ ଛାଡିଦେଉଛି । କିନ୍ତୁ ଦ୍ବିତୀୟ ଥର ସମାନ ଦୋଷ କଲେ ମାମଲା ରୁଜୁ କରୁଛି ପୋଲିସ । ଏହାସହ ସେମାନଙ୍କ ଗାଡି ଜବତ କରିନିଆଯାଉଛି ବୋଲି ଅଶ୍ବିନୀ କପୁର କହିଛନ୍ତି ।
ସୌଜନ୍ୟ@ANI