ନୂଆଦିଲ୍ଲୀ: କୋରୋନା କାଳରେ କେନ୍ଦ୍ର ସରକାର ଆସନ୍ତା ମାସରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଏହାକୁ ଘୁଞ୍ଚାଇବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଉଛି । ବୁଧବାର ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ନିବେଦନ ଶୁଣିବାକୁ ସେ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।
ରାହୁଲ ଗାନ୍ଧୀ ବୁଧବାର ଟ୍ବିଟ କରି କହିଛନ୍ତି, ଜେଇଇ ଓ ନିଟ୍ ପରୀକ୍ଷାର୍ଥୀମାନେ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ସେମାନଙ୍କର ପ୍ରକୃତ ଚିନ୍ତା ହେଉଛି : କୋରୋନା ସଂକ୍ରମଣର ଭୟ, ମହାମାରୀ ସମୟରେ ପରିବହନ ଏବଂ ରହଣିର ଭୟ, ଆସାମ ଏବଂ ବିହାରରେ ହୋଇଥିବା ବନ୍ୟା ପରିସ୍ଥିତି। ଭାରତ ସରକାର ନିଶ୍ଚିତ ଭାବରେ ସମସ୍ତ ହିତାଧିକାରୀଙ୍କ କଥା ଶୁଣିବା ଏବଂ ଏହାର ସମାଧାନ ଖୋଜିବା ଆବଶ୍ୟକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ଗୋଟିଏ ପଟେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଏନେଇ ଆବେଦନ କରିଛନ୍ତି । ଅନ୍ୟପଟେ ସାତୋଟି ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଉପସ୍ଥିତ ଥିଲେ।
ତେବେ ଏହାପୂର୍ବରୁ ଗୁରୁବାର ଦିନ ଶିକ୍ଷା ମନ୍ତ୍ରଣାଳୟର ଏକ ସୂତ୍ର କହିଥିଲେ ଯେ, କେନ୍ଦ୍ର ସରକାର ନିଟ୍ କିମ୍ବା ଜେଇ ସ୍ଥଗିତ ରଖିବାକୁ ଚିନ୍ତା କରୁନାହାଁନ୍ତି।