ନୂଆଦିଲ୍ଲୀ: ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସଂସଦୀୟକ୍ଷେତ୍ରରୁ ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ତାଙ୍କ ବାସଭବନକୁ ଏହି ଚିଠି ସହ କିଛି ପାଉଡର ମଧ୍ୟ ଆସିଛି । ଉର୍ଦ୍ଦୁ ଭାଷାରେ ଲେଖାଯାଇଛି ଏହି ଚିଠି । ଏନେଇ ଖବର ଦିଆଯିବ ପରେ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏବେ ଆକ୍ସନ ମୁଡରେ ରହିଛି ପୋଲିସ । ଏହାର ଯାଞ୍ଚ ପାଇଁ ଫରେନ୍ସିକ ଟିମକୁ ଦାୟିତ୍ବ ଦିଆଯାଇଛି । ଏହି ଧମକପୂର୍ଣ୍ଣ ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡାଭୋଲ ଏବଂ ସାଂସଦ ପ୍ରଜ୍ଞା ଠାକୁରଙ୍କ ଫଟୋ ଉପରେ ଭୁଲ ଚିହ୍ନ ଅଙ୍କନ କରାଯାଇଛି ।
ଏ ଚିଠି ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଜ୍ଞା ଠାକୁର କହିଛନ୍ତି ଯେ, ଏହା ପଛରେ କୌଣସି ଆତଙ୍କବାଦୀଙ୍କ ହାତ ଥାଇପାରେ । ଏହା ଦେଶର ଶତ୍ରୁଙ୍କ ଦ୍ବାରା ରଚାଯାଇଥିବା ବହୁତ ବଡ଼ ଷଡ଼ଯନ୍ତ୍ର । ଅନ୍ୟପଟେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏ ଘଟଣାରେ ମାମଲା ରୁଜୁ ହେବା ସହ ଏହାର ତଦନ୍ତ ଚାଲିଛି ।