ବେଙ୍ଗାଲୁରୁ: ଲକଡାଉନରେ ଦେଶ ସାରା ଅଧିକ କଷ୍ଟ ପାଇଥିଲେ ପ୍ରବାସୀ ଶ୍ରମିକ । ଘରକୁ ଫେରିନପାରି ଯିଏ ଯେଉଁଠି ଥିଲେ ସେଠାର ଫସି ରହିଥିଲେ । ଖାଦ୍ୟପେୟର ସୁବିଧା ନପାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ବିଭିନ୍ନ ମେଟ୍ରୋ ସିଟିରେ ଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି ସମସ୍ତ ରାଜ୍ୟ ସରକାର ।
ତେବେ ଏହା ଭିତରେ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି କିଛି ଅଲଗା ଦୃଶ୍ୟ । ଏଠାରେ ବିଭିନ୍ନ ରାଜ୍ୟର ଫସିଥିବା ଶ୍ରମିକମାନେ ପୁଣି କାମରେ ଲାଗିଛନ୍ତି । ଲକଡାଉନ ପୂର୍ବରୁ ବାକି ଥିବା କାମ ପୁଣିଥରେ ଆରମ୍ଭ କରିଛନ୍ତି । ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ କାମ ଆରମ୍ଭ ହେବାରୁ ଏହି ଶ୍ରମିକମାନେ କାର୍ଯ୍ୟ କ୍ଷେତ୍ରକୁ ଫେରିଥିଲେ । ମାର୍ଚ୍ଚ 22ରେ ପ୍ରଥମ ଲକଡାଉନ ଅବଧି ପରେ ଏହି କାମ ବନ୍ଦ ଥିଲା ।
ନମ୍ମା ମେଟ୍ରୋ ପାଇଁ ଦ୍ବିତୀୟ ପର୍ଯ୍ୟାୟ କାମ ଆରମ୍ଭ ହୋଇଥିବାବେଳେ ଏଠାରେ ବିହାର, ଉତ୍ତରାଖଣ୍ଡ, ଓଡିଶା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକ କାମରେ ଲାଗିଛନ୍ତି । ଏହି ପ୍ରକଳ୍ପ ପାଇଁ 9000 ଶ୍ରମିକ ନିଯୁକ୍ତ ହୋଇଥିବାବେଳେ ପ୍ରାୟ 91 ପ୍ରତିଶତ ଶ୍ରମିକ ଉପରୋକ୍ତ 5 ରାଜ୍ୟରୁ ଆସିଛନ୍ତି । ଲକଡାଉନ ଲାଗୁ ପରେ ଶ୍ରମିକମାନଙ୍କୁ କୌଣସି ପ୍ରକାର କାମ ମିଳିନଥିଲା । ଚଳିବା ପାଇଁ ଅର୍ଥାଭାବ ଦେଖାଯାଇଥିଲା । ଏଥିପାଇଁ ସେମାନେ ପ୍ରକଳ୍ପ ସାଇଟରୁ କିଛି ଦୂରରେ ରହିଯାଇଥିଲେ । ସେଠାରେ ସେମାନଙ୍କୁ ସବୁପ୍ରକାର ସୁବିଧା ମିଳିଥିଲା । ତଥାପି ଘରକୁ ଯିବା ପାଇଁ ମନରେ ଇଚ୍ଛା ଥିଲା । ତେବେ ସେତେବେଳେ ଯାଇପାରିନଥିବାବେଳେ ଏବେ କାମ ଆରମ୍ଭ ହୋଇଥିବାରୁ ଯିବାକୁ ଆଉ ଇଚ୍ଛାପ୍ରକାଶ କରିନାହାନ୍ତି ।