ବେଙ୍ଗାଲୁରୁ: ନିର୍ବାଚନ ଜିତିବା ପାଇଁ ଜନତାଙ୍କୁ ବିଭିନ୍ନ ପ୍ରକାର ଆଶା ଆଉ ପ୍ରତିଶୃତି ଦେଇ ମନ କଣିବାକୁ ଚେଷ୍ଟା କରିଥାନ୍ତି ରାଜନେତା । ନିର୍ବାଚନ ଜିତିବା ପରେ ଜଣାପଡିଥାଏ ସେମାନଙ୍କ ଅସଲ ଚେହେରା । କର୍ଣ୍ଟାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ମଧ୍ୟ ଏପରି କିଛି ମନ୍ତବ୍ୟ ଦେଇ ନିଜର ଅସଲ ଚେହେରା ଦେଖାଇଛନ୍ତି । ରାଜ୍ୟର ରାୟଚୁର ଜିଲ୍ଲାରେ ତାପଜ ବିଦ୍ୟୁତ କେନ୍ଦ୍ର କର୍ମଚାରୀ ନିଜର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସେମାନଙ୍କୁ କଡା କଥା କହି ବିଦା କରିଦେଇଥିଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ "ଗାଁ ପ୍ରଭାସ" ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାୟଚୁର ଜିଲ୍ଲାକୁ ପହଞ୍ଚିଥିଲେ । ଏଠାରେ ତାପଜ ବିଦ୍ୟୁତ କେନ୍ଦ୍ର କର୍ମଚାରୀ ନିଜର ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ । ଏଠାରେ ବେରୋଜଗାର ଦୂରୀକରଣ ପ୍ରତିଶୃତି ପୁରା ହୋଇନଥିବା ଦାବି ମଧ୍ୟ କରାଯାଇଥିଲା। ତାଛଡା ଏପରି ବହୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପହଞ୍ଚିଥିଲେ ଉକ୍ତ କର୍ମଚାରୀ । ଏନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯାହା ଜବାବ ଦେଇଥିଲେ ସେଥିରୁ ତାଙ୍କର ଆଭିମୁଖ୍ୟ ଜଣା ପଡିଯାଇଥିଲା ।
ମୁଖ୍ୟମନ୍ତ୍ରୀ ୱାଇଟିପିଏସର କର୍ମଚାରୀଙ୍କୁ ଜବାବ ଦେଇ କହିଥିଲେ ଯେ, " ଆପଣ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେଲେ ଏବଂ କାମ ମୋଠାରୁ କରେଇବାକୁ ଚାହୁଁଛନ୍ତି । ମୁଁ ଆପଣଙ୍କୁ ଆଦର କରିବି ବୋଲି ମୋଠୁ ଆଶା ରଖିଛନ୍ତି କି? କଣ ଆପଣଙ୍କ ଉପରେ ଲାଠି ଚର୍ଚ୍ଚା କରିବା ଦରକାର ? ଏଠାରୁ ଯାଆନ୍ତୁ ।’ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଶୁଣି ସ୍ଥାନୀୟ ଲୋକେ ଚକିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହାର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "କର୍ମଚାରୀଙ୍କ ସମସ୍ୟାର ସମାଧନ ପାଇଁ 15 ଦିନ ସମୟ ମାଗିଥିଲି । ତଥାପି ସେମାନେ ରାସ୍ତା ଅବରୋଧ କରିଥିଲେ । ତେଣୁ ମୁଁ ରାଗି ଯାଇ ସେମାନଙ୍କୁ ପଚାରିଥିଲି ଯେ ଯଦି ପ୍ରଧାନମନ୍ତ୍ରୀଙ୍କ ରାସ୍ତା ରୋକାଯିବ କଣ ଆପଣ ଏହାକୁ ଗ୍ରହଣ କରିବେ?