ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଦଇବ ଯେମିତି ନିଜ କୋପଦୃଷ୍ଟି ପକାଇଛି । ହସିବା ଖେଳିବା ବୟସରେ ଶିଶୁ ମୃତ୍ୟୁଶଯ୍ୟାରେ । ସୁଖୁନାହିଁ ପରିବାରର ଲୁହ । ସେପଟେ ସମସ୍ୟାର ସମାଧାନରେ ଫେଲ୍ ମାରିଛି ପ୍ରଶାସନ । କିନ୍ତୁ ଏନେଇ ତିଳେମାତ୍ର ଚିନ୍ତା ନାହିଁ ନେତାଙ୍କ ମନରେ । ବିରୋଧୀ ଏବଂ ଶାସକ ଦଳ ମିଶି ସମସ୍ୟାର ସମାଧାନ ଖୋଜିବା ବଦଳରେ ହସରେ ଫଟାଉଛନ୍ତି ସଦନକୁ ।
ଏମିତି କିଛି କହି ଦେଶର ସମସ୍ତ ନେତାଙ୍କୁ ସମାଲୋଚନା କରିଛନ୍ତି ଆପର ପୂର୍ବତନ ନେତା ତଥା ଲୋକପ୍ରିୟ କବି କୁମାର ବିଶ୍ବାସ । ସେ ଲୋକସଭା ଅଧିବେଶନରେ ନେତାଙ୍କ ହସୁଥିବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଆପଣମାନଙ୍କ ଘରେ ଛୋଟ ଶିଶୁ ଅଛି ତ ସେମାନଙ୍କ ମୁହଁ ଥରେ ଦେଖ । ତା'ପରେ ସେହି ମା-ବାପାଙ୍କ ଚେହେରା ମନେ ପକାଅ ଯାହାକୁ ନିଜ ଶିଶୁର ଭଷ୍ମ ନେଇ ଘରକୁ ଫେରିବାକୁ ପଡୁଛି ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ବିହାରର ମୁଜାଫରପୁରରେ ଆକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରମ୍ରେ ପ୍ରତି ଘଣ୍ଟାରେ ଶିଶୁମୃତ୍ୟୁ ଖବର ଆସୁଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 145 ଟପିଥିବା ସୂଚନା ମିଳିଛି ।