ଥିରୁଅନନ୍ତପୁରମ: ଗଲ୍ଫ ଦେଶରୁ ରାଜ୍ୟକୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ ମୁକ୍ତ ପ୍ରମାଣପତ୍ର ବାଧ୍ୟତାମୂଳକ । କେରଳ ସରକାରଙ୍କ ଏହି ନିଷ୍ପତ୍ତି ଉପରେ କେରଳର କଂଗ୍ରେସ ସଭାପତି ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜାଙ୍କୁ ପରିହାସ କରିଛନ୍ତି । ସେ କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ଜୀବନ ବଞ୍ଚାଇବାକୁ ଆଗ୍ରହୀ ନୁହଁନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କେବଳ ରେକର୍ଡ ଏବଂ ପ୍ରଶଂସା ଶୁଣିବା ଉଦ୍ଦେଶ୍ୟରେ ରହିଛନ୍ତି । ଏଥିସହ ରାମଚନ୍ଦ୍ରନ ତାଙ୍କୁ 'କୋଭିଡ ରାଣୀ' ବୋଲି କହି ଥଟ୍ଟା କରିଛନ୍ତି ।
ସେହିପରି ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା କହିଛନ୍ତି ଯେ କେ କେ ଶୈଲଜା ବର୍ତ୍ତମାନ 'କୋଭିଡ ରାଣୀ' ଆଖ୍ୟା ପାଇବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ସେ 'ନିପା ରାଜକୁମାରୀ' ଆଖ୍ୟା ପାଇଁ ଲଢୁଥିଲେ । ସେ ସ୍ଥାନୀୟ ଲୋକଙ୍କ ନିକଟରେ 2018 ରେ ଘଟିଥିବା ନିପାହ ଭାଇରସ କଥା କହୁଥିଲେ । ଏହି ପ୍ରଭାବଶାଳୀ ଭାଇରସ ଲୋକଙ୍କୁ ଗ୍ରାସ କରିଥିବା ବେଳେ ଏହାକୁ ଖୁବଶୀଘ୍ର ନିୟନ୍ତ୍ରିତ କରାଯାଇଥିଲା ।
ସେ କହିଛନ୍ତି, ଗତ ତିନି ମାସ ମଧ୍ୟରେ କୋଭିଡ -19ରେ ଗଲ୍ଫ ଦେଶରେ 200ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମ ଲୋକମାନେ ସ୍ବଦେଶ ଫେରି ଆସିବାକୁ ଆଗ୍ରହୀ ଅଛନ୍ତି । କିନ୍ତୁ ସରକାର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ନିଜ ଭାବମୂର୍ତ୍ତିକୁ ନେଇ ଭୟଭୀତ ଅଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ରେକର୍ଡ ଏବଂ ପ୍ରଶଂସା ପଛରେ ଦୌଡୁଥିବା ବେଳେ କେରଳରେ ବସବାସ କରୁଥିବା ଗରିବ ପ୍ରବାସୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ତେବେ ରାମଚନ୍ଦ୍ରନ କୋରୋନା ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ତେବେ ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି ଏବଂ ତାଙ୍କ ଭାଷଣକୁ ନାରୀ ବିରୋଧୀ ତଥା ଅସଂସଦୀୟ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଜ୍ୟକୁ ଫେରୁଥିବା ସମସ୍ତ ବିଦେଶୀ ଯାତ୍ରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ କେରଳ ସରକାର । ଏଥିରେ ଫେରୁଥିବା ପ୍ରବାସୀଙ୍କ ପାଖରେ କୋରୋନା ମୁକ୍ତ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ କହିଥିଲେ । ହେଲେ କେରଳ ସରକାରଙ୍କ ନିଷ୍ପତ୍ତିକୁ କେନ୍ଦ୍ର ଅବ୍ୟବହାରିକ କହିଥିଲା ।