ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଆମେରିକାରେ ମଧ୍ୟ କୋରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯିବା ଘୋଷଣାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆମେରିକାରେ ପ୍ଲାଜମା ଚିକିତ୍ସା ଦିଆଯିବା ବୋଲି ଟ୍ରମ୍ପ ଟ୍ବିଟର ମାଧ୍ୟମରେ ଘୋଷଣା କରିଛନ୍ତି । ଏହା ଦେଖି କେଜ୍ରିୱାଲ ଖିୁସି ହୋଇ ଦିଲ୍ଲୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ମଡେଲ ସଫଳତା ହୋଇଛନ୍ତି । ଏହାକୁ ଆମେରିକା ଆପଣେଇଛି ।
ସୋମବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଆମେରିକାରେ ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପି ଗ୍ରହଣ ବିଷୟରେ ସୂଚନା ଦେଇଛନ୍ତି । ଏହା ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ପୂର୍ବରୁ ସେ କହିଥିଲେ ଯେ ଆମେରିକା ଆଜି ଯାହା କରେ, ଆସନ୍ତାକାଲି ଭାରତ ତାହା କରିବ । କିନ୍ତୁ ଦିଲ୍ଲୀ ଏହାକୁ ବଦଳାଇ ଦେଇଛି । ଗତକାଲି ଦିଲ୍ଲୀ ଯାହା କରିଛି, ଆମେରିକା ଆଜି କରୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ତାଙ୍କ ଉଦ୍ୟମରେ ଏପ୍ରିଲରେ ଦେଶରେ ପ୍ରଥମ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ପ୍ଲାଜମା ଥେରାପି ଆରମ୍ଭ ହେଲା । ଏହାର ଉତ୍ତମ ଫଳାଫଳକୁ ଦୃଷ୍ଟିରେ ରଖି ଜୁଲାଇ 2 ରେ ILBS ହସ୍ପିଟାଲରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଆମେରିକା ଭଳି ବିକଶିତ ଦେଶ ତଥା ଦେଶର ଅନ୍ୟାନ୍ୟ ରାଜ୍ୟରେ ଏହା କରାଯାଉଛି । ସେ ସୂଚନା ଦେଇଛନ୍ତି ଯେ ଦିଲ୍ଲୀର ଉଭୟ ପ୍ଲାଜମା ବ୍ୟାଙ୍କରୁ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ପ୍ଲାଜମା ଦିଆଯାଉଛି । ଏପର୍ଯ୍ୟନ୍ତ ପ୍ଲାଜମା ଥେରାପିରେ 750 ରୋଗୀ ଉପକୃତ ହୋଇଛନ୍ତି । ଏଥିରୁ ମୃତ୍ୟୁହାର ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଟିକା ଆସିବା ପର୍ଯ୍ୟନ୍ତ ଏହାକୁ ଏକ ପ୍ରଭାବଶାଳୀ ଚିକିତ୍ସା ଭାବରେ ଦେଖାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ