ଗୌହାଟୀ: ଆସାମରେ ସାଙ୍ଘାତିକ ହେଉଛି ବନ୍ୟା ପରିସ୍ଥିତି। ବନ୍ୟା ଜଳରେ ବୁଡିଲା କାଜିରଙ୍ଗା ନ୍ୟାସନାଲ ପାର୍କ । 90 ପ୍ରତିଶତ ପାର୍କ ଜଳମଗ୍ନ ହୋଇପଡିଛି ।ବନ୍ୟା ଯୋଗୁଁ14ଟି ପଶୁପକ୍ଷୀ ସମେତ ଗୋଟିଏ ଗଣ୍ଡାର ମୃତ୍ୟୁ ହୋଇଛି । ଜାତୀୟ ଉଦ୍ୟାନରେ ନିୟୋଜିତ ବନ କର୍ମଚାରୀମାନେ ପାର୍କ ପରିସରରେ ଏ ପର୍ଯ୍ୟନ୍ତ ଏକ ଶିଙ୍ଗିଆ ଗଣ୍ଡାର ମୃତଦେହ ଉଦ୍ଧାର କରିଛନ୍ତି।
ପାର୍କ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପାର୍କରେ ଥିବା ସମୁଦାୟ 223 କ୍ୟାମ୍ପ ମଧ୍ୟରୁ 143 ଟି କ୍ୟାମ୍ପ ବନ୍ୟା ଜଳରେ ବୁଡି ରହିଛି। ଅନ୍ୟପକ୍ଷରେ, ଗୋଟିଏ ଶିଙ୍ଗିଆ ଗଣ୍ଡା, ହରିଣ, ହାତୀ ସମେତ ଅନେକ ବଣୁଆ ଜନ୍ତୁ ଉଚ୍ଚଭୂମି ଏବଂ ନେସ୍ରବି ଅଞ୍ଚଳକୁ ଥଇଥାନ କରାଯାଇଛି । ଜାତୀୟ ରାଜପଥ 37 ରେ ସମସ୍ତ ଯାନବାହାନର ଗତି ସୀମାକୁ ପାର୍କ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୀମିତ ରଖିଛନ୍ତି।
ଗତି ସୀମା ଉଲ୍ଲଙ୍ଘନ କଲେ ପାର୍କ କର୍ତ୍ତୃପକ୍ଷ 500 ହଜାର ଟଙ୍କା ଜୋରିମାନା ଆଦାୟ କରିବେ । କାରଣ ବନ୍ୟା କାରଣରୁ ବିଭିନ୍ନ ପ୍ରାଣୀ ପାର୍କର ଅନ୍ୟ ପାର୍ଶ୍ବ ଯିବାକୁ ଚେଷ୍ଟା କରିଥାନ୍ତି । ଦ୍ରୁତ ଗତିରେ ଆସୁଥିବା ଗାଡି ଦ୍ବାରା ଏମାନେ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି ।
ଚଳିତ ବର୍ଷ ବନ୍ୟାରେ ଆସାମର ପ୍ରାୟ 25 ଟି ଜିଲ୍ଲା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ରାଜ୍ୟବାସୀ ନାହିଁଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।