ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା 370 ଉଠିବା ପରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ମଝଭୁତ କରାଯାଇଛି । ତେବେ ଆଜି ଯାଞ୍ଚ ସମୟରେ ଆତଙ୍କବାଦୀଙ୍କ ସହାୟତା କରୁଥିବା ସନ୍ଦେହରେ 3 ଜଣ କାଶ୍ମିରୀ ଯୁବକଙ୍କୁ ଗିରଫ କରିଛି ପୋଲିସ।
ଏନେଇ ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି ଯେ, ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରହିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପଚରାଉଚୁରା ଜାରି ରହିଛି । ପଞ୍ଜାବ ଓ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଗତିବିଧିକୁ ନେଇ କିଛି କାଶ୍ମିରୀ ଯୁବକ ସହାୟତା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ।
ସେପଟେ ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରେ ଇମତିଆଜ ଅହମ୍ମଦ ନେଙ୍ଗ୍ରୁ ଏବଂ ତାଙ୍କ ଭାଇ ରିଆଜ ନେଙ୍ଗ୍ରୁ ସାମିଲ ରହିଛନ୍ତି । ଏହି ଦୁଇଜଣଙ୍କୁ 2018ମସିହାରେ ଜୈଶ-ଏ-ମହମ୍ମଦ ସଙ୍ଗଠନ ସହିତ ସମ୍ପର୍କ ରଖିବା ନେଇ ଗିରଫ କରିଥିଲା ପୋଲିସ । ଏହା ସହିତ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।