ବେଙ୍ଗାଲୁରୁ: ଜୁଲାଇ 29 ରେ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି 2020ର ଉପସ୍ଥାପନ କରିଥିଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ। ବର୍ତ୍ତମାନ ଏହି ନୂତନ ଜାତୀୟ ଶିକ୍ଷା ନୀତିକୁ ଲାଗୁ ତଥା କାର୍ଯ୍ୟକାରୀ କରିବାରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ହେବ। ସୋମବାର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡାକ୍ତର ସିଏନ ଅଶ୍ବଥ ନାରାୟଣ କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ହେବ।
ନାରାୟଣ କହିଛନ୍ତି ଯେ ପ୍ରଶାସନିକ ସଂସ୍କାର ତଥା ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଆଇନରେ ସଂଶୋଧନ ଆଣିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏ ଦିଗରେ ଆଗକୁ ବଢୁଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ ପର୍ଯ୍ୟାୟକ୍ରମେ ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ଗଠିତ କମିଟି ପରାମର୍ଶ ନେଇଛି ଏବଂ କେବଳ ଚୂଡ଼ାନ୍ତ ପର୍ଯ୍ୟାୟ ସୁପାରିଶକୁ ଅପେକ୍ଷା କରାଯାଇଛି। ଚୂଡ଼ାନ୍ତ ସୁପାରିଶ ମାତ୍ରେ ପ୍ରଶାସନିକ ଏବଂ ଆଇନଗତ ପଦକ୍ଷେପ ନିଆଯିବ |