ଲକ୍ଷ୍ନୌ: ବର୍ବରୋଚିତ କାନପୁର ଏନକାଉଣ୍ଟର ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଖୋଜିବାକୁ ଜି ଜାନ ଲଗାଇଦେଇଛି । ସ୍ଥାନେ ସ୍ଥାନେ ଚଢାଉ ସହ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ସହ ଯେଉଁମାନଙ୍କ ଲିଙ୍କ ରହିଛି ସେମାନଙ୍କୁ ଠାବ କରିବା ସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି । ତେବେ ଆଜି ସକାଳୁ କାନପୁର ପୋଲିସକୁ ଏକ ବଡ ସଫଳତା ମିଳିଛି । ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ସହଯୋଗୀ ଅମର ଦୁବେକୁ ପୋଲିସ ଏନକାଉଣ୍ଟରରେ ମାରିଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଏନକାଉଣ୍ଟରରେ ଅନ୍ୟଜଣେ ସହଯୋଗୀ ଶ୍ୟାମୁ ବାଜପେୟୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଦୁଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । କୁଖ୍ୟାତ ଅପରାଧୀ ଶ୍ୟାମୁ ନାଁରେ 25 ହଜାରର ପୁରସ୍କାର ରାଶି ଘୋଷଣା ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଏହି ଏନକାଉଣ୍ଟର ହମିରପୁର ଠାରେ ହୋଇଥିବା ଜଣାପଡିଛି । ବିକାଶ ଦୁବେକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଛାପା ମାରୁଥିବା ବେଳେ ସାମ୍ନାକୁ ଆସିଯାଇଥିଲା ସହଯୋଗୀ ଅମର । ଅନ୍ୟପଟେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଫରିଦାବାଦର ଏକ ଗେଷ୍ଟ ହାଉସରେ ଥିବା ଖବର ମିଳିଥିଲେ ମଧ୍ୟ ସେଠାରେ ପୋଲିସ ଛାପା ମାରି ମଧ୍ୟ ନିରାଶ ହୋଇଥିଲା ।
ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟର ଘଟଣାରେ ପ୍ରାୟ 8 ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ଘଟଣାର ନିରପେକ୍ଷ ତଦନ୍ତ ସହ ମୁଖ୍ୟ ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ଡ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।