ଭୋପାଳ: ଉଜ୍ଜୈନସ୍ଥିତ ପ୍ରସିଦ୍ଧ ଶୈବମନ୍ଦିର ମହାକାଳ ମନ୍ଦିରରେ ଭକ୍ତଙ୍କ ସୁବିଧା, ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି । ମନ୍ଦିର ପାଇଁ କମଳନାଥ ସରକାର ପ୍ରାୟ ୩ଶହ କୋଟି ବିନିଯୋଗ କରିବେ ବୋଲି ଜଣାପଡିଛି । ମନ୍ଦିର ଟ୍ରଷ୍ଟକୁ ମଜଭୁତ୍ କରିବା ପାଇଁ ସରକାର ମନ୍ଦିରର ବର୍ତ୍ତମାନ ଲାଗୁ ଆକ୍ଟରେ 16ଗୋଟି ସଂଶୋଧନ କରିବେ ବୋଲି ସୂଚନା ରହିଛି ।
ଶନିବାର ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ କମଳ ନାଥ ଏହି ଘୋଷଣା କରିଛନ୍ତି । ଏଥିପାଇଁ ଏକ ୩ ଜଣିଆ ସଦସ୍ୟ ଥିବା ଟିମ୍ ଗଠନ କରାଯାଇଛି। ଏହି ତିନି ଜଣିଆ କମିଟିରେ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା, ଲୋକ ସମ୍ପର୍କ ଓ ଆଧ୍ୟାତ୍ମ ମନ୍ତ୍ରୀ ପୀସୀ ଶର୍ମା ଏବଂ ପୌର ପ୍ରଶାସନ ମନ୍ତ୍ରୀ ଜୟବର୍ଦ୍ଧନ ସିଂହ ସାମିଲ ରହିଛନ୍ତି ।
ପ୍ରାୟ ୫ଟି ପର୍ଯ୍ୟାୟରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ କରାଯିବ ବୋଲି ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟରେ ମନ୍ଦିରର ପ୍ରବେଶ ପଥ, ମହାକାଳ ଥିମ ପାର୍କ, ୱାର୍କସ ଲନ୍ ଓ ପାର୍କିଂ ନିର୍ମାଣ ହେବ। ଦ୍ବିତୀୟ ପର୍ଯ୍ୟାୟରେ ମହାରାଜ ବାଡ, କୁମ୍ଭ ସଂଗ୍ରହାଳୟ, ମହାକାଳ ବିଷୟବସ୍ତୁକୁ ନେଇ ପ୍ରଦର୍ଶନ, ଧର୍ମଶାଳା, ରୁଦ୍ରସାଗର ହ୍ରଦର ପୁନଉଦ୍ଧାର ଏବଂ ହରି ଫାଟକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟରେ ମନ୍ଦିରର ଶାହାନାଇ ଗେଟ୍ ଠାରୁ ମୁଖ୍ୟରାସ୍ତା ଯାଏଁ ପୋଲିସ ଫାଣ୍ଡି ଏବଂ ହସ୍ପିଟାଲ ନିର୍ମାଣ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟରେ ଫାସିଲିଟି-2 ନିର୍ମାଣ କରାଯିବ । ଏହିଠାରେ ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯିବ । ପଞ୍ଚମ ପର୍ଯ୍ୟାୟରେ ଦେବାସ ଧର୍ମଶାଳାର ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ନିର୍ମାଣ କରାଯିବ ।
ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ନାଗ ପଞ୍ଚମୀରେ ଏଠାକୁ ୩ ଲକ୍ଷ ଶ୍ରଦ୍ଧାଳୁ ଆଗମନ କରିଥିଲେ । ମାତ୍ର ମନ୍ଦିରର ଅବ୍ୟବସ୍ଥା ଯୋଗୁଁ ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ ।