ନୂଆଦିଲ୍ଲୀ: ନିର୍ଭୟା ମାମଲାରେ 4 ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟ ରାୟ ପ୍ରକାଶ ପାଇଛି । ତିହାର ଜେଲରେ 22 ଜାନୁଆରୀ ସକାଳ 7ଟାରେ ଦୋଷୀଙ୍କୁ ଫାଶୀ ମିଳିବ । ଭିଡିଓ କନଫରେନ୍ସିଂ ଜରିଆରେ ପଟିଆଲା ହାଉସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ରାୟ ପ୍ରକାଶ ସମୟରେ କୋର୍ଟରେ ନିର୍ଭୟାଙ୍କ ପିତା-ମାତା ଉପସ୍ଥିତ ଥିଲେ । ଏହାସହ ଆମିକସ୍ କ୍ୟୁରୀ ବୃନ୍ଦା ଗ୍ରୋଭର, ଓକିଲ ଏପି ସିଂହ ଓ ଏମଏଲ ଶର୍ମା ମଧ୍ୟ ଉପସ୍ଥିତ ରହିଥିଲେ ।
ସରକାରୀ ଓକିଲ ଦୋଷୀଙ୍କ ଡେଥ୍ ୱାରେଣ୍ଟ ପାଇଁ ଦାବି କରିଥିଲେ । ପରେ ନିର୍ଭୟା ମାଆଙ୍କ ଯାଚିକାକୁ ଧ୍ୟାନରେ ରଖି ମଙ୍ଗଳବାର ସମସ୍ତ 4 ଅପରାଧୀଙ୍କ ଡେଥ୍ ୱାରେଣ୍ଟ ପାଇଁ ଶୁଣାଣି କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପୂର୍ବରୁ କ୍ଷମା ଆବେଦନ ପାଇଁ ଦୋଷୀଙ୍କୁ 7 ଦିନ ସମୟ ଦିଆଯାଇଥିଲା ।
ଦୋଷୀଙ୍କୁ ଡେଥ୍ ଓ୍ବାରେଣ୍ଟ ଜାରି ହେବା ପରେ ନିର୍ଭୟା ମାଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଝିଅକୁ ନ୍ୟାୟ ମିଳିଥିବା ସେ କହିଛନ୍ତି । ନିର୍ଭୟାଙ୍କ ମାଆ କହିନ୍ତି ଯେ ଏ ଲଢେଇ କେବଳ ଆମର ନୁହେଁ, ପୁରା ଦେଶର ଥିଲା । ଫାଶୀ ଯୋଗୁ ମହିଳାଙ୍କୁ ନ୍ୟାୟ ବ୍ୟବସ୍ଥା ଉପରେ ମହିଳାଙ୍କ ବିଶ୍ବାସ ବଢିବ । ସେହିପରି କୋର୍ଟଙ୍କ ରାୟ ପ୍ରକାଶ ପରେ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଟ୍ବିଟ କରି 'ସତ୍ୟମେବ ଜୟତେ' ବୋଲି ଲେଖିଛନ୍ତି । ଅନ୍ୟପକ୍ଷେ କୋର୍ଟଙ୍କ ରାୟକୁ ପୁଣି ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିର୍ଭୟା ଦୋଷୀଙ୍କ ଓକିଲ କହିଛନ୍ତି । କୋର୍ଟରେ ଦୋଷୀଙ୍କ ଓକିଲ କ୍ୟୁରେଟିଭ ଯାଚିକା ଦାଖଲ କରିବେ । ତେବେ ଡେଥ୍ ଓ୍ବାରେଣ୍ଟ ପରେ ଦୋଷୀଙ୍କ ହାତରେ ରାଜକ୍ଷମା ପାଇଁ 14 ଦିନ ସମୟ ରହିଛି । ଏହି 14 ଦିନ ମଧ୍ୟରେ ଦୋଷୀମାନେ ରାଜକ୍ଷମା ପାଇଁ ଆବେଦନ କରିପାରିବେ ।
ସମ୍ପୂର୍ଣ୍ଣ ଘଟଣାକ୍ରମ:-
- 16 ଡିସେମ୍ବର 2012- ନିର୍ଭୟାଙ୍କ ସହ 6 ଜଣ ଗଣଦୁଷ୍କର୍ମ କରିଥିଲେ
- 29 ଡିସେମ୍ବର 2012-ସିଙ୍ଗାପୁର ଡାକ୍ତରଖାନାରେ ନିର୍ଭୟାଙ୍କ ମୃତ୍ୟୁ
- 11 ମାର୍ଚ୍ଚ 2013- ମୁଖ୍ୟ ଅଭିଯୁକ୍ତ ରାମ ସିଂହର ଆତ୍ମହତ୍ୟା
- 31 ଅଗଷ୍ଟ 2013- ଜଣେ ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟ ତିନି ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଇଥିଲେ ।
- 13 ସେପ୍ଟେମ୍ବର 2013- ନିମ୍ନ ଅଦାଲତରେ 4 ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି
- 13 ମାର୍ଚ 2014-ଦିଲ୍ଲୀ ହାଇକୋର୍ଟରେ ଫାଶୀଦଣ୍ଡ ଶୁଣାଣି
- 5 ମେ 2017- ସୁପ୍ରିମକୋର୍ଟ ମଧ୍ୟ ଫାଶୀଦଣ୍ଡକୁ କାୟମ୍ ରଖିଲା
- 9 ଜୁଲାଇ 2018- ସୁପ୍ରିମକୋର୍ଟରେ ବିନୟ, ପବନ, ମୁକେଶର ପୁର୍ନବିଚାର ଯାଚିକା ଖାରଜ
- 14 ଫେବୃଆରୀ 2019- ନିର୍ଭୟାଙ୍କ ମାତା-ପିତା ପଟିଆଲା ହାଉସ କୋର୍ଟରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଅପିଲ
- 6 ନଭେମ୍ବର 2019- 4 ଜଣଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ଆବେଦନ କଲେ
- 1 ଡିସେମ୍ବର 2019- ଦିଲ୍ଲୀ ସରକାର ଗୃହମନ୍ତ୍ରାଳୟକୁ ଦୟା ଯାଚିକା ଖାରିଜ କରିବା ପାଇଁ ଅନୁରୋଧ କଲେ
- 6 ଡିସେମ୍ବର 2019- ଗୃହମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ଖାରିଜ ପାଇଁ ଅନୁରୋଧ କଲେ
- 10 ଡିସେମ୍ବର 2019- ଅକ୍ଷୟ କୁମାର ସିଂହର ସୁପ୍ରିମକୋର୍ଟରେ ପୁର୍ନବିଚାର ଯାଚିକା ଦାଖଲ
- 18 ଡିସେମ୍ବର 2019- ଅକ୍ଷୟଙ୍କ ପୁର୍ନବିଚାର ଯାଚିକା ସୁପ୍ରିମକୋର୍ଟରେ ଖାରିଜ