ନୂଆଦିଲ୍ଲୀ: ଏସିଆ ଏବଂ ମଧ୍ୟ ପୂର୍ବରେ ଲୋକପ୍ରିୟ ଜନସନ ଆଣ୍ଡ ଜନସନର ସ୍କିନ ହ୍ବାଇଟନିଙ୍ଗ୍ କ୍ରିମ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । ଆମେରିକାରେ ବର୍ଣ୍ଣବୈଷମ୍ୟତାକୁ ନେଇ ଦେଖାଦେଇଥିବା ହିଂସାକୁ ନଜରରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଭାରତରେ ବିକ୍ରି ହେଉଥିବା କ୍ଲିନ୍ ଆଣ୍ଡ୍ କ୍ଲିୟର ଫେୟାର ଲାଇନ୍ ପ୍ରସାଧନ ସାମଗ୍ରୀ ଗୁଡିକ ବିକ୍ରି ଉପରେ କଟକଣା ଲଗାଯାଇଛି । ବିଶେଷକରି, ଭାରତରେ ହ୍ବାଇଟନିଙ୍ଗ୍ କ୍ରିମର ଅଧିକ ଚାହିଦା ରହିଥାଏ ।
ଗତକିଛି ଦିନ ତଳେ, ଜନସନ ଆଣ୍ଡ ଜନସନ ଘୋଷଣା କରିଥିଲା ଯେ ଆମେରିକା ଏବଂ କାନାଡାରେ ବେବି ଟେଲକମ୍ ପାଉଡର ବିକ୍ରି କରିବା ବନ୍ଦ କରିବ । ଶିଶୁ ଉତ୍ପାଦ ତିଆରିରେ ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀର ନାମରେ ଉପଭୋକ୍ତାମାନେ ପାଉଡର ବ୍ୟବହାର ଦ୍ବାରା କର୍କଟ ରୋଗ ସୃଷ୍ଟି ହେଉଥିବା ଦାବି କରି କମ୍ପାନୀ ନାମରେ ହଜାର ହଜାର ଗ୍ରାହକ ମକଦ୍ଦମା ଦାୟର କରିଥିଲେ । ଉପଭୋକ୍ତାଙ୍କ ଦାବି ପରେ କମ୍ପାନୀକୁ କୋଟି କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଥିଲା । କମ୍ପାନୀ ନାମରେ ବର୍ତ୍ତମାନ ସୁଦ୍ଧା 16,000ରୁ ଅଧିକ ମକଦ୍ଦମା ଦାୟର କରାଯାଇଛି । ଅଭିଯୋଗ ହୋଇଥିଲା ଯେ, ପାଉଡରରେ ଏପରି ପଦାର୍ଥର ବ୍ୟବହାର ରହିଛି, ଯାହାଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ରହିଛି ।