ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପ୍ରଶାସନ କ୍ୟାମ୍ପସରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ଘରକୁ ଫେରିବାକୁ କହିଛି । ଏକ ସର୍କୁଲାର ଜାରି କରି ଜେଏନୟୁ ପ୍ରଶାସନ କହିଛି ଯେ, କୋରୋନା ମାମଲା ଯେପରି ବଢୁଛି ତାହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାନୁଷ୍ଠାନ ଅଗଷ୍ଟ 15 ପର୍ଯ୍ୟନ୍ତ ବନ୍ଦ ରହିବ । ତେଣୁ, ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ପରାମର୍ଶ ଦିଆଯାଇଛି ଯେ, ଯେଉଁମାନେ କ୍ୟାମ୍ପସରେ ଅଛନ୍ତି ସେମାନେ ଘରକୁ ଫେରିବା ଉଚିତ ଏବଂ ଯେଉଁମାନେ ଘରେ ଅଛନ୍ତି ସେମାନେ ବର୍ତ୍ତମାନ ସେଠାରେ ହିଁ ରୁହନ୍ତୁ, ଏବେ ଫେରନ୍ତୁ ନାହିଁ ।
ସୂଚନାମୁତାବକ, ରବିବାର ଜେଏନୟୁରେ କୋରୋନା ଭାଇରସର ପ୍ରଥମ ପଜିଟିଭ ମାମଲା ପ୍ରକାଶ ପାଇଥିଲା। ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିଷ୍ଟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ଜେଏନୟୁ ପ୍ରଶାସନ ପଜିଟିଭ ମାମଲା ବିଷୟରେ ସୂଚନା ଦେଇ ଏକ ସର୍କୁଲାର ଜାରି କରିଥିଲା। ଏଥି ସହିତ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ସର୍କୁଲାରରେ କୁହାଯାଇଥିଲା ଯେ, ଯଦି ସେମାନେ ନିଜ ଭିତରେ କୋରୋନାର କୌଣସି ଲକ୍ଷଣ ଦେଖନ୍ତି, ତେବେ ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଯିବା ଉଚିତ ।
ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତ ମାମଲା 29 ହଜାର 943 ରହିଥିବାବେଳେ, ଏଥିରେ 874 ଜଣଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ 11 ହଜାର 357 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 17 ହଜାର 712 ଜଣ ସଂକ୍ରମିତ ମାମଲା ସକ୍ରିୟ ରହିଛି ।