ରାଞ୍ଚି: କିଏ ଗଢିବ ସରକାର । ଜନତା କାହାକୁ ଦେଇଛନ୍ତି ପୂର୍ଣ୍ଣ ସମର୍ଥନ । କାହା ମୁଣ୍ଡରେ ଭୋଟର ପିନ୍ଧାଇବେ ରାଜ୍ୟର ମୁକୁଟ । ଆଉ କେଇଟି ମୂହୂର୍ତ୍ତ ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିବ । ସ୍ପଷ୍ଟ ହୋଇଯିବ ଝାଡ଼ଖଣ୍ଡରେ କାହାର ହେବ ରାଜ୍ୟଭିଷେକ, କିଏ ଯିବ ବନବାସ । ପାଞ୍ଚଟି ପର୍ଯ୍ୟାୟରେ 81ଟି ବିଧାନସଭା କ୍ଷେତ୍ର ପାଇଁ ଚଳିତମାସ 20 ତାରିଖରେ ସରିଯାଇଛି ମତଦାନ ଗ୍ରହଣ ପ୍ରକିୟା । ଆଜି ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ସକାଳ 8ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା ।
ରାଜ୍ୟର ସତ୍ତାଧାରୀ ବିଜେପି ପୁନର୍ବାର ସରକାର ଗଢିବା ନେଇ ଆଶା ରଖିଛି । ଏଥିପାଇଁ ପ୍ରଚାର, ପ୍ରସାର ଠାରୁ ଆରମ୍ବ କରି ଜନସଭା ଓ ରାଲି ମଧ୍ୟ କରିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଭିନ୍ନ ଜନସଭା ମାଧ୍ୟମରେ ମଧ୍ୟ କରିଛନ୍ତି ଭୋଟ ଭିକ୍ଷା । ଦଳ ଯଦି ପୁନର୍ବାର ସରକାର ଗଢେ ତେବେ ମୁଖ୍ୟମନ୍ତ୍ରୀ ଆସନ ରଘୁବର ଦାସ ବଜାୟ ରଖିବେ ବୋଲି ସ୍ପଷ୍ଟ କରିସାରିଛି ଦଳ ।
‘ଅବକି ବାର 65 ପାର’ ନାରା ଦେଇ ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିଥିଲା ବିଜେପି । ସମୁଦାୟ 81 ଟି ଆସନରେ ନିର୍ବାଚନ ହେଉଥିଲା ବେଳେ ବହୁମତ ପାଇଁ ଆବଶ୍ୟକ 41 ଆସନ । ଯଦି ବା ରାଜ୍ୟରେ ବିଜେପି ସତ୍ତାକୁ ଫେରେ ଏବଂ ରଘୁବର ଦାସ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ଏହା ଇତିହାସରେ ପରିଣତ ହେବ । ଏହା ପୂର୍ବରୁ କୌଣସି ମଧ୍ୟ ରାଜନୈତିକ ଦଳ ରାଜ୍ୟରେ ଦ୍ବିତୀୟ ଥର ପାଇଁ ସରକାର ଗଢିବାରେ ସଫଳ ହୋଇନାହିଁ । ତେଣୁ ରଘୁବର ସତ୍ତାକୁ ଫେରିଲେ ରଚିପାରନ୍ତି ଇତିହାସ, ନଚେତ ଯିବେ ବନବାସ ।