ଶ୍ରୀନଗର: ଜମ୍ମୁ-କାଶ୍ମୀର ସୁରକ୍ଷାବଳକୁ ବଡ ସଫଳତା ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ 4 ଆତଙ୍କବାଦୀ ନିହତ ହୋଇଛନ୍ତି । ସିଆରପିଏଫ ଯବାନ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ-କାଶ୍ମୀର ପୋଲିସର ସ୍ବତନ୍ତ୍ର ଅପରେଶନ ଗ୍ରୁପ ମିଳିତ ଭାବରେ ଏହି ଏନକାଉଣ୍ଟର କରିଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ପୋଲିସର 2 ଏସପିଓ ସାମିଲ ଥିବା ଜଣାପଡିଛି ।
ଦୁହେଁ ଗତକାଲି ସର୍ଭିସ ରାଇଫଲ ନେଇ ଫେରାର ହୋଇଯାଇଥିବା ବେଳେ ସେମାନେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲେ । ସୂଚନା ମୁତାବକ, ପୁଲୱାମା ଜିଲ୍ଲା ପଞ୍ଜାରନ ଗ୍ରାମର ଲସ୍ସୀପୁରା ଅଞ୍ଚଳ ସ୍ଥିତ ଏକ କୋଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ବିଶେଷ ସୁତ୍ରରୁ ଖବର ମିଳିଥିଲା ।
ଏହା ପରେ ସିଆରପିଏଫ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ-କାଶ୍ମୀର ପୋଲିସର ସ୍ବତନ୍ତ୍ର ଅପରେଶନ ଗ୍ରୁପ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ତେବେ ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନମାନେ ।