ନୂଆଦିଲ୍ଲୀ: ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ-କାଶ୍ମୀରେର ପ୍ରବଳ ତୁଷାରପାତ ଜାରି । ଭାରି ବରଫ ପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ରଖିଛି । ଜମ୍ମୁ-କାଶ୍ମୀରରୁ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ କେତେକ ରାସ୍ତା ବନ୍ଦ ହୋଇଯାଇଛି । ଆଗାମୀ 5 ଦିନ ମଧ୍ୟରେ ହିମାଚଳପ୍ରଦେଶରେ ଜୋରଦାର ତୁଷାର ପାତ ସହ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜସ୍ଥାନରେ ଶୂନ୍ୟ ପର୍ଯ୍ୟନ୍ତ ପହଞ୍ଚିଯାଇଛି ତାପମାତ୍ରା ।
କ୍ରମାଗତ ତୁଷାର ହେତୁ ଦିଲ୍ଲୀ ଏବଂ ୟୁପି ସମେତ ଅନେକ ରାଜ୍ୟରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି । ସେପଟେ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି ଏବଂ ଲୋକଙ୍କୁ ସମୁଦ୍ରକୂଳକୁ ଯିବାକୁ ବାରଣ କରାଯାଇଛି ।
ହିମାଚଳପ୍ରଦେଶର ଧର୍ମଶାଳାରେ ଜୋରଦାର ବରଫପାତ ଯୋଗୁଁ ତାପମାତ୍ରା ଖସିବାରେ ଲାଗିଛି । ଧୌଳାଧରରେ ପୂରା ଅଞ୍ଚଳକୁ ବରଫ ଘୋଡାଇ ରଖିଛି । ଧର୍ମଶାଳାର ଉଚ୍ଚ ଅଞ୍ଚଳର ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଲାହୋଲ ସ୍ପିତରେ ମଧ୍ୟ ସେହି ସମାନ ଅବସ୍ଥା ।
ଉତ୍ତରାଖଣ୍ଡର ଔଲିରେ ମଧ୍ୟ ତୁଷାରପାତ ଆରମ୍ଭ ହୋଇଯାଇଛି । ସେଠାରେ 3ରୁ 4 ଇଞ୍ଚ ପର୍ଯ୍ୟନ୍ତ ବରଫ ଜମା ହୋଇ ରହୁଛି । ଉତ୍ତରାଖଣ୍ଡରେ ଉତ୍ତରକାଶୀରେ ମଧ୍ୟ ହଠାତ ପାଗରେ ପରିବର୍ତ୍ତନ ଆସିଛି । ଗଙ୍ଗୋତ୍ରୀରେ ଚାରି ଦିଗରେ ବରଫ ଚାଦରରେ ପରିଣତ ହୋଇଛି । ତୁଷାରପାତ ହେତୁ ଏଠି ମଧ୍ୟ ଶୂନ୍ୟ ତଳକୁ ଖସିଛି ତାପମାତ୍ରା । ବଦ୍ରିନାଥରେ ମଧ୍ୟ ଜାରି ରହିଛି ତୁଷାରପାତ ।