ଶ୍ରୀନଗର: କୋରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡକୁ ଆଉ 1 କୋଟି ଟଙ୍କା ଦାନ କରିଛି ଜମ୍ମୁ କାଶ୍ମୀର ବିଜେପି । ଦଳର ମୁଖପାତ୍ର ସୋମବାର ଏନେଇ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ ପାଇଁ ଲକଡାଉନ ଜାରି ପରେ ଜମ୍ମୁ-କାଶ୍ମୀର ବିଜେପିର ଏହା 5ମ କିସ୍ତି । ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ ପିଏମ କେୟାର୍ସ ଫଣ୍ଡକୁ 5 କୋଟି ଟଙ୍କା ଦାନ କରାଯାଇଛି ବୋଲି ଦଳର ମୁଖପାତ୍ର କହିଛନ୍ତି । ଜମ୍ମୁ-କାଶ୍ମୀରର ବିଜେପି ସଭାପତି ରବିନ୍ଦର ରାଇନା 1 କୋଟି ଟଙ୍କାର ଏହି ଚେକ୍ ଜେ ଆଣ୍ଡ କେ ବ୍ୟାଙ୍କର ଜୋନାଲ ହେଡକ୍ୱାର୍ଟରର ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି ।
ଦଳର ମୁଖପାତ୍ର କହିଛନ୍ତି ଯେ, ଦଳର କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ, ସରକାରୀ କର୍ମଚାରୀ, ବ୍ୟବସାୟୀ, ସାଧାରଣ ନାଗରିକ ଏବଂ ଛାତ୍ର, ମହିଳା, ପୁରୁଷ ଓ ଶିଶୁଙ୍କ ଠାରୁ ଏହି ଦାନ ଟଙ୍କା ଗ୍ରହଣ କରାଯାଇଥିଲା ।
ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇ ରାଇନା କହିଛନ୍ତି ଯେ, ତାଙ୍କ ୟୁନିଟ୍ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । କାରଣ ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ 5 କୋଟି ଟଙ୍କା ସଂଗ୍ରହ କରାଯାଇ ଫଣ୍ଡକୁ ଦାନ କରାଯାଇଛି । ଯାହା କୋଭିଡ-19 ବିରୋଧ ଲଢେଇକୁ ଆହୁରି ମଜବୁତ କରିବ ।
ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଓ କୋରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚରେ 'ପିଏମ କେୟାର୍ସ ଫଣ୍ଡ' ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଫଣ୍ଡର ଘୋଷଣା ପରେ ଅନେକ ନେତା, ଅଭିନେତା, ସାଧାରଣ ଜନତା କୋଟି କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।