ବେଙ୍ଗାଲୁରୁ: ଜାତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏବଂ ଏହାର ଫ୍ରାନ୍ସ ପ୍ରତିପକ୍ଷ ସିଏନଇଏସ ମଧ୍ୟରେ ବୁଧବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଭାରତରେ ଏକ ସାମୁଦ୍ରିକ ସର୍ଭିଲେନସ ସେଣ୍ଟର ବା ଗୁଇନ୍ଦା କେନ୍ଦ୍ର ବସାଇବାକୁ ଏହି ଚୁକ୍ତି ହୋଇଛି । ଆସନ୍ତା ମେ ମାସରେ ଏହି କେନ୍ଦ୍ର ସ୍ଥାପନ ହେବ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ ଗତବର୍ଷ ମାର୍ଚ୍ଚ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ସମୟରେ ବିଭିନ୍ନ ରାଜିନାମା ହୋଇଥିଲା । ସେଥିମଧ୍ୟରୁ ଏହି ଚୁକ୍ତି ଅନ୍ୟତମ ବୋଲି ଜଣାପଡିଛି । ଏହା ଭାରତର ଗୁଇନ୍ଦା ବିଭାଗକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଜଣାପଡିଛି । ଏହି ଚୁକ୍ତି ଫଳରେ ଭାରତ ମହାସାଗରରେ ଜାହାଜକୁ ଠାବ କରିବା, ଚିହ୍ନଟ କରିବା ଏବଂ ଗତିବିଧି ଆଦି ଜାଣିବା ବିଷୟରେ ଉଭୟ ରାଷ୍ଟ୍ର ପରସ୍ପର ମଧ୍ୟରେ ତଥ୍ୟ ସେୟାର କରିବେ ।
ଏହି ସାମୁଦ୍ରିକ ସର୍ଭିଲେନ୍ସ ସେଣ୍ଟର କୃତ୍ରିମ ଉପଗ୍ରହରୁ ପ୍ରାପ୍ତ ତଥ୍ୟାବଳୀ ସେୟାର କରିବା ସହ ଉପୁଜୁଥିବା ବିଭିନ୍ନ ସମସ୍ୟା ସମାଧାନରେ ସହାୟକ ହେବ । ସିଏନଇଏସ ଜାରି କରିଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ସିଏନଇଏସ ଅଧ୍ୟକ୍ଷ ଜିନ ୟେସ ଲି ଗଲ ଏବଂ ଭାରତୀୟ ମହାକାଶ ଏଜେନ୍ସିର ଅଧ୍ୟକ୍ଷ କେ. ଶିବନଙ୍କ ମଧ୍ୟରେ ଏହି ଚୁକ୍ତି ବେଙ୍ଗାଲୁରୁ ଠାରେ ସ୍ୱାକ୍ଷରିତ ହୋଇଛି ।