ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଉଗ୍ର ହେଉଛି ବିବାଦ। ପ୍ରତିଶୋଧର ନିଆଁରେ ଜଳୁଥିବା ଇରାନ ପୁଣିଥରେ ଇରାକ ସ୍ଥିତ ଆମେରିକ ସେନା ଉପରେ କରିଛି ଆକ୍ରମଣ। ବୁଧବାର ସକାଳୁ ଇରାନ, ଆମେରିକା ସେନା ଉପରେ 12ରୁ ଅଧିକ ମିସାଇଲ୍ ଦ୍ବାରା ଆକ୍ରମଣ କରିଛି। ଏହି ଆକ୍ରମଣରେ 80 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ଜଣାପଡିନାହିଁ ବୋଲି ଇରାନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।
ଆକ୍ରମଣ ପରେ ଇରାନ, ଆମେରିକାକୁ ଜବାବ ନଦେବା ପାଇଁ ଚେତାବନୀ ଦେଇଛି। ଇରାନ ମିସାଇଲ ଆକ୍ରମଣ କରିଥିବା ନିଜେ ସ୍ପଷ୍ଟ କରିଛି ଆମେରିକା। ଇରାନରେ ଏହି ଆକ୍ରମଣରେ କେତେ ସୈନ୍ୟ ଆହତ ହୋଇଛନ୍ତି, ତାହା ଜଣାପଡିନାହିଁ। ଆକ୍ରମଣ ପରେ ଇରାନର ଏକ ଟେଲିଭିଜନ ଚ୍ୟାନେଲର କହିବା ଅନୁସାରେ, ଜେନେରାଲ କାସିମ ସୁଲେମାନର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଛି।
ଇରାନ ପକ୍ଷରୁ ହୋଇଥିବା ମିସାଇଲ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେନାକୁ ସମ୍ବୋଧିତ କରିବେ। ଏ ଘଟଣାକୁ ନେଇ ଆମେରିକାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି।