ଜଣେ ସୁପ୍ରସିଦ୍ଧ ଚିକିତ୍ସକ ଏବଂ ଇମ୍ୟୁନୋଲୋଜି ଏବଂ ମାଇକ୍ରୋବାୟୋଲୋଜି ବିଶେଷଜ୍ଞ ଡକ୍ଟର ସୁଜିତ କୁମାର ଭଟ୍ଟାଚାର୍ଯ୍ୟ, ଭାରତୀୟ ଭେଷଜ ଗବେଷଣା ପରିଷଦ (ICMR)ର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ ଜାତୀୟ ହଇଜା ଏବଂ ଆନ୍ତ୍ରିକ ରୋଗ ସଂସ୍ଥା (NICED)ର ପୂର୍ବତନ ନିର୍ଦ୍ଦେଶକ । ଏଚ୍ଆଇଭି/ଏଡ୍ସ, କାଲା ଜର ଏବଂ ସଂକ୍ରାମକ ରୋଗ କ୍ଷେତ୍ରରେ ବିଶେଷ ଦକ୍ଷତା ହାସଲ କରିଥିବା ଡକ୍ଟର ଭଟ୍ଟାଚାର୍ଯ୍ୟ ଜାତୀୟ ବିଜ୍ଞାନ ଏକାଡେମୀର ଫେଲୋ ମଧ୍ୟ । ଈଟିଭି ଭାରତର ଦୀପଙ୍କର ବୋଷଙ୍କ ସହ ଏକ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ, ଡକ୍ଟର ଭଟ୍ଟାଚାର୍ଯ୍ୟ କୋଭିଡ୍-19 ବିଶ୍ବ ମହାମାରୀ ଏବଂ ଭାରତ ଉପରେ ଏହାର ପ୍ରଭାବ ସଂପର୍କରେ ତାଙ୍କ ମତାମତ ଉପସ୍ଥାପନ କରିଛନ୍ତି ।
ଏହି ସାକ୍ଷାତକାରର ଉଦ୍ଧୃତାଂଶ:
ପ୍ରଶ୍ନ) କୋରୋନା ଭାଇରସ୍ର ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ପାଇଁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଗବେଷଣା କରୁଛନ୍ତି । ଯଦି ଏହା ଫଳପ୍ରଦ ପ୍ରମାଣିତ ହୁଏ, ତେବେ ଏହି ପ୍ରତିଷେଧକ ଟିକାରୁ ସର୍ବବ୍ୟାପୀ ମହାମାରୀ କବଳରୁ ମୁକୁଳିବାର ଏକ ଉପାୟ ମିଳିଯିବ । ଗବେଷକମାନେ କହିସାରିଛନ୍ତି ଯେ, ସେମାନେ SARS-CoV-2 ଭୂତାଣୁର ଆନୁବଂଶିକ କ୍ରମ ବା ଜିନୋମ୍ ସିକ୍ୟୁଏନ୍ସ ପାଇଛନ୍ତି ଏବଂ ଏକ ରୋଗ ଜୀବାଣୁ ପ୍ରତିରୋଧକ ବା ଆଣ୍ଟିଜେନ୍ ପ୍ରସ୍ତୁତ କରିବା ଲାଗି ଡିଏନ୍ଏ ଟେକ୍ନିକ୍ ଉପଯୋଗ କରୁଛନ୍ତି । ଏଥିରୁ କିଛି ସୁଫଳ ମିଳିବ ବୋଲି ଆପଣ ଅନୁଭବ କରୁଛନ୍ତି କି ?
ହଁ, ଏକ କୋଭିଡ୍-19 ପ୍ରତିରୋଧକାରୀ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ଲାଗି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଚେଷ୍ଟା କରୁଛନ୍ତି । ସେମାନେ ଦୁଇ ଜଣ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଏହି ପ୍ରତିଷେଧକ ଟିକାର ପ୍ରୟୋଗ କରିସାରିଛନ୍ତି ଏବଂ ଏହାର ପ୍ରତିକ୍ରିୟା ଜାଣିବାକୁ ଅପେକ୍ଷା କରିଛନ୍ତି । ଏହା ଏକ ପ୍ରଥମ ପର୍ଯ୍ୟାୟର ପରୀକ୍ଷଣ, ଏବଂ ଏଥିରେ ସୁରକ୍ଷା ଏବଂ କେତେକାଂଶରେ କାର୍ଯ୍ୟକ୍ଷମତାକୁ ପରଖି ଦେଖାଯିବ । ଆଗକୁ ଏହି ପରୀକ୍ଷଣ ଲାଗି ବହୁସଂଖ୍ୟକ ସ୍ବେଚ୍ଛାସେବୀ ପ୍ରସ୍ତୁତ ହୋଇଛନ୍ତି । ପରୀକ୍ଷଣ ସଫଳ (80%) ହେବ ବୋଲି ପରୀକ୍ଷଣ ପ୍ରକ୍ରିୟାର ସମନ୍ବୟକାରୀ କିମ୍ବା P.I. ବେଶ୍ ଆଶାବାଦୀ। ପରୀକ୍ଷଣ ସଫଳ ହେବା ପରେ ବହୁ ସଂଖ୍ୟାରେ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବାକୁ ହେବ ଏବଂ ଏଥିରେ ଭାରତ ଏକ ଅଂଶୀଦାର ଭୂମିକାରେ ରହିବ । ପ୍ରଥମେ ଏହି ଟିକାକୁ ମିଳିତ ଗଣରାଜ୍ୟ (ୟୁକେ)ର ନାଗରିକମାନଙ୍କୁ ଏବଂ ପରେ ଅବଶିଷ୍ଟ ବିଶ୍ବବାସୀଙ୍କୁ ଦିଆଯିବ । ନିର୍ଦ୍ଦିଷ୍ଟ ଫଳାଫଳ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।
ପ୍ରଶ୍ନ) ଭାରତୀୟ ଭେଷଜ ଗବେଷଣା ପରିଷଦ (ICMR) କହିବା ଅନୁସାରେ ଭାରତରେ କୋଭିଡ୍-19 ସଂକ୍ରମଣ ହାର ପ୍ରାୟ 4.5 ପ୍ରତିଶତ ଏବଂ ସଂକ୍ରମଣ ବୃଦ୍ଧିହାର ନିୟନ୍ତ୍ରିତ ହେବାକୁ ଯାଉଛି । ଆପଣ ଏଥିରେ ସମ୍ମତ କି ?
ହଁ । ଏଥିରେ ଅସମ୍ମତ ହେବାର କୌଣସି କାରଣ ନାହିଁ । ହେଲେ, ଆମକୁ ନମୁନାର ଆକାର ଏବଂ ବାସ୍ତବ ଚିତ୍ରର ଏହା ପ୍ରତିନିଧିତ୍ବ କରୁଛି କି ନାହିଁ, ତାହା ଜାଣିବାକୁ ହେବ । କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଏସବୁ ଦେଖିବାକୁ ପଡ଼ିବ । ଆମେ କେବଳ ଅନୁମାନଭିତ୍ତିକ ନିଷ୍କର୍ଷରେ ପହଞ୍ଚିପାରିବା ନାହିଁ ।
ପ୍ରଶ୍ନ) ସାରା ଦେଶରେ, ବିଶେଷତଃ ଗ୍ରାମାଞ୍ଚଳରେ ଆହୁରି ଅଧିକ ରୋଗ ପରୀକ୍ଷଣ କରାଯିବା ଉଚିତ ଏବଂ ପରୀକ୍ଷଣର ପରିସର ବ୍ୟାପକ ହୋଇ ନଥିବାରୁ ସଂକ୍ରମଣ ସଂପର୍କିତ ପ୍ରକୃତ ଚିତ୍ର ଆମକୁ ମିଳୁନାହିଁ ବୋଲି ଆପଣ ଭାବୁଛନ୍ତି କି ?
ହଁ, ତାହା ଠିକ୍ କଥା । ଉପଲବ୍ଧ ପରୀକ୍ଷଣ ଉପକରଣ ବା ଟେଷ୍ଟିଂ କିଟ୍ର ପରିମାଣ, ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପ୍ରଭୃତି କାରଣକୁ ବିଚାରକୁ ନେବା ଦରକାର । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଧିକ ପରୀକ୍ଷଣ ହେବା ଆବଶ୍ୟକ ଏବଂ କେବଳ ପରୀକ୍ଷଣ ଏବଂ ସେଥିରୁ ମିଳିଥିବା ତଥ୍ୟ ହିଁ ଏ ସଂପର୍କରେ ସଠିକ୍ ଧାରଣା ପ୍ରଦାନ କରିବ ।
ପ୍ରଶ୍ନ) ପ୍ରକାଶିତ ରିପୋର୍ଟ ଅନୁସାରେ, ଚୀନ୍ରୁ ଅଣାଯାଇଥିବା ରାପିଡ୍ ଆଣ୍ଟିବଡି ଭିତ୍ତିକ ରକ୍ତ ପରୀକ୍ଷଣ କିଟ୍ଗୁଡ଼ିକ ଦୋଷଯୁକ୍ତ ଏବଂ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ଏହି କିଟ୍ଗୁଡ଼ିକୁ ICMR ଅଗ୍ରାହ୍ୟ କରିଦେଇଛି । ଅନ୍ୟ ପକ୍ଷରେ ଆର୍ଟି-ପିସିଆର ପରୀକ୍ଷଣର ଫଳାଫଳ ମିଳିବାକୁ ଅଧିକ ସମୟ ଲାଗୁଥିବାରୁ, କୋଭିଡ୍-19 ରୋଗୀଙ୍କ ପରୀକ୍ଷଣ ଲାଗି ରାପିଡ୍ ଆଣ୍ଟିବଡ଼ି କିଟ୍ ବ୍ୟତୀତ ଅନ୍ୟ କିଛି ଉପାୟ ଅଛି ବୋଲି ଆପଣ ଭାବୁଛନ୍ତି କି ?
ଦେଖନ୍ତୁ, ସଂକ୍ରମଣକୁ ଠାବ କରି ଭୂତାଣୁର ପ୍ରସାର ରୋକିବା ଦିଗରେ ପରୀକ୍ଷଣ ଏକ ଉପାୟ । ଏହା ସଂକ୍ରମଣରୁ ମୁକୁଳିବାର ବାଟ ନୁହେଁ, ବରଂ ଏହା ସମାଧାନରେ ଉପନୀତ ହେବା ଲାଗି ପ୍ରଚେଷ୍ଟା ସହ ସଂପର୍କିତ । ଅବଶ୍ୟ ନିକଟରେ ଆଇଆଇଟି ଦିଲ୍ଲୀ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ଟେଷ୍ଟିଂ କିଟ୍, ଏକ ଅସାମାନ୍ୟ ଉପଲବ୍ଧି । ଆମେ ଆଶା କରୁ ଯେ,ଖୁବ୍ଶୀଘ୍ର ସ୍ବଳ୍ପ ମୂଲ୍ୟର ଅନ୍ୟାନ୍ୟ ଟେଷ୍ଟିଂ କିଟ୍ ବି ବଜାରରେ ମିଳିବ । ସାରା ବିଶ୍ବରେ ଏ କ୍ଷେତ୍ରରେ ପ୍ରଗାଢ଼ ଗବେଷଣା ଚାଲିଛି ଏବଂ ମୁଁ ଭାବୁଛି, ଖୁବ୍ ଶୀଘ୍ର ଆମକୁ ଏହାର ସୁଫଳ ମିଳିବ ।
ପ୍ରଶ୍ନ) କୋରୋନା ଭାଇରସ୍ ବ୍ୟାପ୍ତି ବିରୋଧୀ ଅଭିଯାନ ଚଳାଇଥିବା ICMR ଓ ସରକାରଙ୍କୁ ଆପଣ ଆଉ କିଛି ପ୍ରସ୍ତାବ ଦେବେ କି ?
ICMR ହେଉଛି ଭାରତରେ କୋରୋନା ଭାଇରସ୍ ବିରୋଧୀ ଲଢ଼େଇର ଅନ୍ୟତମ କର୍ଣ୍ଣଧାର । ଏଭଳି ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ICMR ପାଇଁ ମୋର କେତେକ ପ୍ରସ୍ତାବ ରହିଛି । ପ୍ରଥମ କଥା ହେଲା, ଅଧିକ ସଂଖ୍ୟାରେ ନିର୍ଦ୍ଦିଷ୍ଟ ଧରଣର ପରୀକ୍ଷଣ ଲାଗି ଉପଯୁକ୍ତ ପ୍ରେରଣା ଦିଆଯିବା ଉଚିତ । ନିରନ୍ତର ପରୀକ୍ଷଣ ଏବଂ ଏକ ଫଳପ୍ରଦ ଚିକିତ୍ସା ବିଧି ପ୍ରଣୟନ ଦିଗରେ ନୀତି ପ୍ରସ୍ତୁତ ହେବା ଆବଶ୍ୟକ । ବିକ୍ଷିପ୍ତ ଭାବରେ ଆମେ କିଛି କରିପାରିବା ନାହିଁ । ଏହି ପ୍ରସଙ୍ଗରେ ଯେତେ ସମ୍ଭବ ସେତେ, ବ୍ୟାପକ ଦୃଷ୍ଟିକୋଣ ସଂପର୍କରେ ଜାଣିବା ପାଇଁ ICMR ବାହାରେ ଥିବା ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିବା ଆବଶ୍ୟକ ।
ମୁଁ ନିଶ୍ଚିତ ଯେ, ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ଚାଲିଥିବା ଉଦ୍ୟମ ସହିତ ତାଳ ଦେଇ ଆମ ଦେଶରେ ବି ଏକ ସ୍ବଦେଶୀ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ଲାଗି ଗବେଷଣା ଜାରି ରହିଛି । ICMR ଏହି ଗବେଷଣାର ନେତୃତ୍ବ ନେବା ଉଚିତ ଏବଂ ଗବେଷଣା ଅବ୍ୟାହତ ରଖିବା ଲାଗି ଅଧିକ ପାଣ୍ଠି ଯୋଗାଇ ଦେବା ଉଚିତ । କୋଭିଡ୍-19 ରୋଗୀଙ୍କ ଯତ୍ନ ନେବା ସକାଶେ ପ୍ରଶିକ୍ଷଣ ଏବଂ ସେମାନଙ୍କ ଚିକିତ୍ସା ପ୍ରକ୍ରିୟା କେବଳ ଘୋଷଣା ଜରିଆରେ ହୋଇପାରିବ ନାହିଁ । ଆମ ଦେଶ ଭଳି ଏକ ବିଶାଳ ଦେଶରେ ଆମକୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଣାଳୀ ସହ ଅଧିକରୁ ଅଧିକ ସ୍ଥାନରେ ପହଞ୍ଚିବାକୁ ହେବ । ଯାହା ଫଳରେ କି ସାଧାରଣ ଲୋକେ ଏହାର ସୁଫଳ ପାଇପାରିବେ । ଜଣେ ଗବେଷକଙ୍କ ଦୃଷ୍ଟିକୋଣରୁ ଦେଖିଲେ, ମୋତେ ଲାଗୁଛି ଯେ, ପାରସ୍ପରିକ ଜ୍ଞାନ ଆହରଣ ଲାଗି ଉଚ୍ଚ ଗୁଣମାନର ଗବେଷଣା ଏବଂ ଏ ସବୁର ବିଶ୍ଲେଷଣାତ୍ମକ ଅନୁଧ୍ୟାନ ବିଷୟକୁ IJMR (ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚ)ରେ ପ୍ରକାଶ କରାଯିବା ଉଚିତ । ଶେଷରେ, ଏକ କୋଭିଡ୍-19 ଟାସ୍କ ଫୋର୍ସ ହିଁ କୋଭିଡ୍-19 ସଂପର୍କିତ ସମସ୍ତ ଗବେଷଣାର ପଥପ୍ରଦର୍ଶକ ରୂପେ କାମ କରିବା ସହିତ ଏହାକୁ ଉତ୍ସାହିତ କରିବା ଉଚିତ ।
ପ୍ରଶ୍ନ) କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ରୋକିବା କ୍ଷେତ୍ରରେ ଉଭୟ ବିସିଜି ପରୀକ୍ଷଣ ଏବଂ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପ୍ରୟୋଗରୁ କୌଣସି ନିର୍ଣ୍ଣାୟକ ଫଳାଫଳ ବାହାରି ନାହିଁ । ଆପଣଙ୍କ ମତରେ ଏହାର କାରଣ କ’ଣ ହୋଇପାରେ ?
ନିର୍ଦ୍ଦିଷ୍ଟ କେତେକ ରୋଗ ସୃଷ୍ଟିକାରୀ ତତ୍ତ୍ବ ବିରୋଧରେ ପ୍ରୟୋଗ କରାଗଲେ ବିସିଜିରୁ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ଉତ୍ପନ୍ନ ହୋଇଥାଏ । କୋଭିଡ୍-19 ବିରୋଧରେ ଏହା ଉପଯୋଗୀ ସାବ୍ୟସ୍ତ ନ ହେବାର କୌଣସି କାରଣ ମୁଁ ଦେଖିପାରୁନାହିଁ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗୁଁ କାର୍ଡିଓ-ଟକ୍ସିସିଟି ବା ହୃଦ୍କ୍ରିୟାର ବିଷାକ୍ତକରଣ, କ୍ୟୁଟି-ପ୍ରୋଲଙ୍ଗେସନ୍ ବା ହୃତ୍ପିଣ୍ଡ ସଂଚାଳନରେ ସ୍ବାଭାବିକତା ତୁଳନାରେ ଦୀର୍ଘ ସମୟ ଏବଂ ବିପଜ୍ଜନକ ଆରିଥମିଆସ୍ ବା ହୃତ୍ସ୍ପନ୍ଦନର ହାର କମ୍ ବା ବେଶୀ ହୋଇପାରେ । ଆମକୁ ବିକଳ୍ପ ପନ୍ଥା ଖୋଜିବାକୁ ପଡ଼ିବ । ଏକ କାର୍ଯ୍ୟକ୍ଷମ ପ୍ରତିଷେଧକ ଟିକାର ପରୀକ୍ଷଣ ହିଁ ସର୍ବଶେଷ ପନ୍ଥା ।
ପ୍ରଶ୍ନ) କେବଳ ଦିନ ହିସାବରେ ହିଁ ଲକ୍ଡାଉନ୍ ବା ତାଲାବନ୍ଦ ଅବଧି ବଢ଼ିବାରେ ଲାଗିଛି । ଆପଣ କ’ଣ ଭାବୁଛନ୍ତି ଯେ, ଲକ୍ଡାଉନ୍ ସରିଯିବା ପରେ କେବଳ ବୟସ୍କ ଲୋକେ ହିଁ ରୋଗ-ସମ୍ବେଦନଶୀଳ ଗୋଷ୍ଠୀ ଭାବରେ ରହିବେ ନା ଅନ୍ୟମାନେ ବି ରହିବେ ?
ସମସ୍ତେ ସମ୍ବେଦନଶୀଳ ଏବଂ ରୋଗମୁକ୍ତ ହେବା ପରେ ମଧ୍ୟ ପୁନର୍ବାର ସଂକ୍ରମଣ ହୋଇଥିବାର ରିପୋର୍ଟ ମିଳିଛି । ହେଲେ, ଅର୍ଥନୈତିକ ପରିଣତି ବିଷୟ ବିଚାରକୁ ନେଇ, ୟୁରୋପୀୟ ଏବଂ ଅନ୍ୟାନ୍ୟ ଦେଶରେ ପ୍ରସ୍ତାବିତ ଢଙ୍ଗରେ,ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ ପ୍ରତ୍ୟାହାର କରିନେବା ଉଚିତ । ଆମ ପାଇଁ ଏହା ବହୁ ଅଧିକ ସଂଖ୍ୟାର ଲୋକଙ୍କ ବିଷୟ ହୋଇଥିବାରୁ ହଠାତ୍ ଲକ୍ଡାଉନ୍ ପ୍ରତ୍ୟାହାର ଦ୍ବାରା ବିପଜ୍ଜନକ ପରିଣତି ସୃଷ୍ଟି ହେବ ।