ହାଇଦ୍ରାବାଦ: ପିତା, ପୁତ୍ର, ଭାଇ, ସ୍ବାମୀ, ପ୍ରତ୍ୟେକ ଭୂମିକାରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି ‘ପୁରୁଷ’ । ସମାଜଟିଏ ଗଢିବାରେ ମହିଳା ବା ନାରୀର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ପୁରୁଷଙ୍କ ଭୂମିକା ମଧ୍ୟ ସେତିକି ପ୍ରଭାବଶାଳୀ । ମହିଳାଙ୍କ ଭୂମିକାକୁ ନେଇ ଅନେକ ଚର୍ଚ୍ଚା ରହିଥିବା ବେଳେ ପୁରୁଷଙ୍କ ଭୂମିକାର ଚର୍ଚ୍ଚା ଖୁବ କମ୍ ଦେଖିବାକୁ ମିଳିଥାଏ । କିନ୍ତୁ ଏହାର ଅର୍ଥ ନୁହେଁ କି ସେମାନେ କୌଣସି ବି ଦିଗରେ କମ୍ । ପୁରୁଷଙ୍କର ପରିବାର ଓ ସମାଜ ପ୍ରତି ଥିବା ସକାରାତ୍ମକ ଭୂମିକାକୁ ନେଇ ଅନ୍ତର୍ଜାତୀୟସ୍ତରରେ ନଭେମ୍ବର 19ରେ ପାଳନ ହୁଏ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ।
ପ୍ରତିବର୍ଷ ଏହି ଦିନଟି କିଛି ଭିନ୍ନ ବାର୍ତ୍ତା ନେଇ ପାଳନ କରାଯାଏ । ସେହିପରି ଚଳିତ ବର୍ଷ ଏହି ଦିନଟିର ବାର୍ତ୍ତା ରହିଛି ‘ପୁରୁଷ ଓ ବାଳକଙ୍କ ମଧ୍ୟରେ ବିଭେଦତା’ । ଏହା ବାଳକ ଓ ପୁରୁଷଙ୍କ ଦାୟିତ୍ବର ପାର୍ଥକ୍ୟକୁ ଦର୍ଶାଇବା ସହ ଉଭୟଙ୍କ ସ୍ବାସ୍ଥ୍ୟ ଓ ସଶକ୍ତିକରଣ ଉପରେ ଗୁରୁତ୍ବାରୋପ କରିଥାଏ । ତେବେ 1960 ମସିହାରୁ ଏହା ଅନ୍ତର୍ଜାତୀୟ ମହିଳା ଦିବସ ସହ ପାଳନ ହୋଇଆସୁଥିବା ବେଳେ 1999 ମସିହାରୁ ଏହା ସ୍ବତନ୍ତ୍ର ଭାବେ ନଭେମ୍ବର ମାସରେ ପାଳନ ହୋଇଆସୁଛି ।
ପ୍ରାରମ୍ଭିକ ଦିନରେ ଏହାକୁ 23 ଫେବୃଆରୀରେ ପାଳନ କରିବା ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆନ ଅନ୍ତର୍ଜାତୀୟ ପୁରୁଷ ଦିବସ ଆୟୋଜକଙ୍କ ନିବେଦନକ୍ରମେ ଏହାକୁ 2009 ମସିହାରୁ ନଭେମ୍ବର 19 ତାରିଖରେ ପାଳନ କରାଯାଉଛି । ଏହାକୁ ବିଭିନ୍ନ ଆକାରରେ ସାରା ବିଶ୍ବରେ ପାଳନ କରାଯାଉଛି । ସେମିନାର, କ୍ଲାସରୁମ ଆକ୍ଟିଭିଟି, ପ୍ୟାନେଲ ଡିସ୍କସନ(ଆଲୋଚନା), ଆର୍ଟ ମେଳା ଓ ଆୱାର୍ଡ ସେରିମୋନୀ ଆଦି ଆକାରରେ ଏହି ଦିନକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ ।
ପ୍ରତିବର୍ଷ ଏହି ଦିନ ବାଳକ ଓ ପୁରୁଷଙ୍କ ସ୍ବାସ୍ଥ୍ୟଗତ ଉନ୍ନତି ସହ ଲିଙ୍ଗଗତ ସମ୍ପର୍କ ଓ ଲିଙ୍ଗଗତ ସମାନତା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ । ଏହା ଆମେ ଭୁଲିବା କଥା ନୁହେଁ କି ସମାଜରେ ମହିଳାଙ୍କୁ ମିଳୁଥିବା ସମ୍ମାନର ଗୋଟିଏ ଓ ମୁଖ୍ୟ ଶ୍ରେୟ ପୁରୁଷଙ୍କୁ ମିଳିବା ଉଚିତ୍ । ହୁଏତ ମହିଳାଙ୍କ ଭୂମିକାକୁ ସାରା ବିଶ୍ବରେ ବିଶାଳ ଆକାରରେ ପାଳନ କରାଯାଉଛି କିନ୍ତୁ କିଛି ନକହିବି ପରିବାର ଓ ସମାଜର ଏକ ମୁଖ୍ୟ ଦାୟିତ୍ବ ତୁଲାଉଥିବା ପୁରୁଷଙ୍କୁ ମିଳିବା ଦରକାର ସମାନ ସମ୍ମାନ ।