ହାଇଦ୍ରାବାଦ: ଆମ ଆଞ୍ଚଳିକ ଭାଷାରେ ଏକ ଲୋକକଥା ଅଛି । ପୋଲିସ ଡାଳରେ ଗଲେ ଅପରାଧୀ ପତ୍ରରେ ଯାଉଛନ୍ତି । ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଠିକ ଏହି ଫର୍ମୁଲାକୁ ଉପଯୋଗ କରୁଛନ୍ତି କିଛି ନିୟମ ଖିଲାପକାରୀ । ପୋଲିସକୁ ଚକମା ଦେବା ପାଇଁ ଗାଡିକୁ ଧରି ଚାଲି ଚାଲି ଟ୍ରାଫିକ ଜୋନ ଅତିକ୍ରମ କରୁଛନ୍ତି। ଭାରତୀୟ ପୋଲିସ ସେବାର ଜଣେ ଅଧିକାରୀ ପଙ୍କଜ ନୈନ ନିଜ ଫେସବୁକ ଓ ଟ୍ବିଟର ଆକାଉଣ୍ଟରେ ମଙ୍ଗଳବାର ଏପରି କିଛି ଭିଡିଓ ସେୟାର କରିଛନ୍ତି ।
ହରିୟାଣା କ୍ୟାଡରର ଏହି ଅଧିକାରୀଙ୍କ ଭିଡିଓରୁ ନିୟମ ଖିଲାପକାରୀ ଗାଡି ଚାଳକ ପୋଲିସକୁ କିପରି ଚକମା ଦେଉଛନ୍ତି, ତାହା ସ୍ପଷ୍ଟ ବାରି ହେଉଛି । ପୋଲିସ ଜାଣୁଛି, ବାଇକ ଚାଳକ ହେଲମେଟ ପିନ୍ଧି ନାହାନ୍ତି । ତଥାପି ବି ଫାଇନ ଆଦାୟ କରିପାରୁନାହିଁ । କାହିଁକିନା ପୋଲିସ ଆଗରେ ନିୟମ ଖିଲାପକାରୀ ବାଇକ ଚାଲକ ଗାଡିର ଷ୍ଟାର୍ଟ ବନ୍ଦ କରି ଗଡେଇ ଗଡେଇ ଗାଡି ନେଉଛନ୍ତି । ନିୟମ ଅନୁସାରେ ଯଦି କୌଣସି ଗାଡି ଚାଳକ ବିନା ହେଲମେଟରେ ଗାଡି ଚଳାଏ, ତେବେ 1 ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବ । ହେଲେ କିଛି ଲୋକ ଫାଇନ ଗଣିବାରୁ ବର୍ତ୍ତିବା ପାଇଁ ଗାଡିର ଷ୍ଟାର୍ଟକୁ ବନ୍ଦ କରି ଚେକିଂ ପଏଣ୍ଟ ଅତିକ୍ରମ କରିବା ଘଟଣା ପୋଲିସର ମୁଣ୍ଡବ୍ୟଥା ପାଲଟିଛି ।
ଗତକାଲି ଗୁରଗାଓଁ ଆଉ ଆଜି ଭୁବନେଶ୍ବର । ଟ୍ରାଫିକ ନିୟମ ଅମାନ୍ୟ ଯୋଗୁଁ ମୋଟା ଅଙ୍କର ଜୋରିମାନା ଜାଲରେ ଫସିଛନ୍ତି ଗାଡି ଚାଳକ । ଭୁବନେଶ୍ବରରେ ଜଣେ ଅଟୋ ଚାଳକଙ୍କ ଠାରୁ 47 ହଜାର 5 ଶହ ଟଙ୍କା ଚାଲାଣ କାଟିବା ଘଟଣା ଆଜି ସାରା ରାଜ୍ୟରେ କମ୍ପନ ସୃଷ୍ଟି କରିଛି । ନୂଆଁ ଟ୍ରାଫିକ ନିୟମ ଲାଗୁହେବା ପରେ ଏହା ଦେଶର ସବୁଠାରୁ ବଡ ଚାଲଣ ବୋଲି କୁହାଯାଉଛି । ହେଲେ କିଛି ନିୟମ ଖିଲାପକାରୀ ନୂଆ ନିୟମକୁ ବି ଫୁ କରି ଉଡେଇ ଦେବାପାଇଁ ପ୍ରୟାସ କରୁଛନ୍ତି, ତାହା ଏହି ଭିଡିଓରୁ ସ୍ପଷ୍ଟ ବାରି ହେଉଛି।