ନୂଆଦିଲ୍ଲୀ: ବିପଦରେ ଭାରତୀୟ ସାଇବର ସ୍ପେସ । ପୁଣି ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ୱେବସାଇଟ । ଚଳିତବର୍ଷ 2019 ଅକ୍ଟୋବର ସୁଦ୍ଧା 21, 400ରୁ ଉର୍ଦ୍ଧ୍ବ ଭାରତୀୟ ୱେବସାଇଟ ହ୍ୟାକ ହୋଇଥିବା ଜଣାପଡିଛି । ଭାରତ ସରକାରଙ୍କ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ମନ୍ତ୍ରଣାଳୟରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏହି ତଥ୍ୟ ବୁଧବାର ସଂସଦରେ ଉପସ୍ଥାପନା କରିଛନ୍ତି । ଯାହା ଭାରତର ସାଇବର ସୁରକ୍ଷା ଉପରେ ଏବେ ବଡ଼ ପ୍ରଶ୍ଚବାଚୀ ସୃଷ୍ଟି କରିଛି ।
ଲୋକସଭାରେ ଦିଆଯାଇଥିବା ଲିଖିତ ଜବାବରେ ସେ କହିଛନ୍ତି ଯେ, "ଇଣ୍ଡିଆନ କମ୍ପୁଟର ଇମରଜେନ୍ସି ରେସପନ୍ସ ଟିମ"(CERT-In)ଙ୍କ ନିକଟରେ ଥିବା ତଥ୍ୟ ଅନୁସାରେ, 2016 ମସିହାରେ 33,147, 2017 ମସିହାରେ 30,067, ଏବଂ 2018 ମସିହାରେ 17,560 ୱେବସାଇଟ ହ୍ୟାକ କରାଯାଇଥିବା କୁହାଯାଇଛି । ଏହାସହ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ବସି ହ୍ୟାକର୍ସ ଭାରତୀୟ କମ୍ପ୍ୟୁଟର ଓ ଇଣ୍ଟରନେଟକୁ ଟାର୍ଗେଟ କରୁଥିବା କୁହାଯାଇଛି ।
ତେବେ ସାଇବର ଆଟାକ କରୁଥିବା ହ୍ୟାକର ଏଭଳି କୌଶଳ ଆପଣଉଛନ୍ତି ଯେ,ଯେଉଁଥିରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ । 'CERT-In ଙ୍କ ପାଖରେ ଥିବା ତଥ୍ୟ ଅନୁସାରେ, ଟାର୍ଗେଟ କରାଯାଉଥିବା କମ୍ପୁଟରର ଲୋକେସନ ଚୀନ୍ , ପାକିସ୍ତାନ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ତାଇବାନ, ଟ୍ୟୁନିଶିଆ, ଋୁଷ, ଅଲଜେରିଆ ଓ ସର୍ବିୟା ଭଳି ଦେଶର ହୋଇଥିବା ଜଣାପଡିଛି ' ।