ଗତ କିଛି ଦଶନ୍ଧି ହେଲା ହାରାହାରୀ ଲୋକଙ୍କ ବଞ୍ଚିବା ବୟସ (ଜୀବନ ପ୍ରତ୍ୟାଶା)ରେ ବୃଦ୍ଧି ଘଟିଛି ଏବଂ ମାତୃ ଓ ଶିଶୁ ମୃତ୍ୟୁ ହାର କମିବାରେ ଲାଗିଛି। ଏହା ସତ୍ତ୍ବେ ଭାରତରେ ଜନସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନ୍ୟାନ୍ୟ ମୌଳିକ ଦିଗରୁ ଦେଖିଲେ ଏହାର ବିକାଶ ନେଇ ସେଭଳି କିଛି ସମନ୍ବିତ ପ୍ରୟାସ ହେଉନାହିଁ। ଅନ୍ତର୍ଜାତୀୟ ସ୍ତରରେ ଥିବା ସ୍ବାସ୍ଥ୍ୟସେବାର ମାନ ଏବଂ ନୀତିନିୟମଠାରୁ ଆମ ଦେଶ ବହୂ ଦୂରରେ ରହିଛି। ଏପରିକି ଜାତୀୟ ସ୍ତରରେ ବି ଉପଲବଧ ସ୍ବାସ୍ଥ୍ୟ ସେବା ନେଇ ବିଭିନ୍ନ ରାଜ୍ୟରେ ସ୍ପଷ୍ଟ ଭାବେ ପରସ୍ପର ବିପରିତ ସ୍ଥିତି ରହିଛି। ଯେ କୌଣସି ଦେଶର ଅର୍ଥନୈତିକ ବିକାଶ ପାଇଁ ସୁସ୍ଥ ଜନସାଧାରଣ ଅତ୍ୟନ୍ତ ଜରୁରୀ। ଏଥିପାଇଁ ଅନେକ ରାଷ୍ଟ୍ର ସେମାନଙ୍କର ଜିଡିପିର ଏକ ବହୁଳାଂଶ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ ଏବଂ ନିର୍ମାଣ ଦିଗରେ ଖର୍ଚ୍ଚ କରିଥାନ୍ତି। ମୁଣ୍ଡ ପିଛା ସ୍ବାସ୍ଥ୍ୟସେବା ବାବଦ ମୋଟ ଖର୍ଚ୍ଚ ନେଇ ହୋଇଥିବା ଏକ ସର୍ଭେ ଅନୁଯାୟୀ 190ଟି ଦେଶର ଏକ ତାଲିକାରେ ଭାରତର ସ୍ଥାନ ହେଉଛି 141। କୋଭିଡ-19 ପରିପ୍ରେକ୍ଷୀରେ ଘରୋଇ କ୍ଷେତ୍ରରେ ଚାଲିଥିବା ସ୍ବାସ୍ଥ୍ୟସେବାର ଆତ୍ମନିରୀକ୍ଷଣ କରାଯିବା ସହ ପ୍ରଚଳିତ ବ୍ୟବସ୍ଥାରେ ରହିଥିବା ଦୋଷ ଦୁର୍ବଳତା ନେଇ ବି ସମୀକ୍ଷା କରାଯିବା ଆବଶ୍ୟକ।
2020-21 କେନ୍ଦ୍ର ବଜେଟରେ ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଥିଲା, ଯାହାକି ମୋଟ ଜିଡିପିର ମାତ୍ର 1 ପ୍ରତିଶତ। ଭାରତ ଭଳି ଏକ ଜନବହୁଳ ଦେଶ ପାଇଁ ସ୍ବାସ୍ଥ୍ୟସେବା ସକାଶେ ଏହି ପରିମାଣ ଅତ୍ୟନ୍ତ କମ୍। ଯଦିଓ ଯୋଜନା କମିଶନ 2011ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ଜିଡିପିର 2.5 ପ୍ରତିଶତ ବ୍ୟୟ ବରାଦ କରିବାକୁ ସୁପାରିସ କରିଥିଲେ, କୌଣସି ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିନାହାଁନ୍ତି। ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପାଇଁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ଯାହାକୁ ଆୟୁଷ୍ମାମ ଭାରତ ଯୋଜନା ଭାବେ ବି କୁହାଯାଇଛି ଆରମ୍ଭ କରିଥିଲେ। ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟସେବା ଯୋଜନା କୁହାଯାଉଥିବା ଏହି ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀଙ୍କୁ 5 ଲକ୍ଷ ଟଙ୍କା ଯାଏଁ ବୀମାଭୁକ୍ତ କରାଯାଉଛି। ଆର୍ଥିକ, ଜାତିଗତ ଏବଂ ସାମାଜିକ ଜନଗଣନା ଆଧାରରେ ଦେଶର ମୋଟ ଜନସଂଖ୍ୟାର 40 ପ୍ରତିଶତ ଅର୍ଥାତ 10 କୋଟି ପରିବାରର ମୋଟ 50 କୋଟି ଲୋକ ଏହି ଯୋଜନାରେ ଉପକୃତ ହୋଇପାରିବେ। ଏଯାଏଁ 72 ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହୋଇଛନ୍ତି। କିନ୍ତୁ ବହୁତ ସୀମିତ ସଂଖ୍ୟକ ରୋଗ ପାଇଁ ଏହି ସୁବିଧା ଲୋକଙ୍କୁ ମିଳୁଛି। ଆୟୁଷ୍ମାନ ଭାରତ ଯୋଜନାରେ 2022 ବର୍ଷ ସୁଦ୍ଧା ଦେଢ ଲକ୍ଷ ସ୍ବାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, କିନ୍ତୁ ଏହାର ଏକ ଚତୁର୍ଥାଂଶ ଲକ୍ଷ୍ୟ ବି ଏଯାଏଁ ପୂରଣ ହୋଇନାହିଁ।
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ତଦାରଖ କରୁଥିବା ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (NHA) ବୀମା ପ୍ରଦାନ ନେଇ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ତାରତମ୍ୟ ଦର୍ଶାଇଛନ୍ତି। ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଭଳି ଗରିବ ରାଜ୍ୟରେ ଏହି ପାଣ୍ଠିର ବହୁତ ବିନିଯୋଗ କରିଥିବା ବେଳେ କେରଳରେ ଏହି ଯୋଜନା ଅଧିନରେ ସର୍ବାଧିକ ସଂଖ୍ୟକ ରୋଗୀ ହସ୍ପିଟାଲ ସୁବିଧା ପାଇଛନ୍ତି। 115ଟି ଆକାଂକ୍ଷାମୂଳକ ଜିଲ୍ଲାର କୌଣସି ଗୋଟିଏ ବି ସ୍ବାସ୍ଥ୍ୟସେବା କେନ୍ଦ୍ର ଆୟୁଷ୍ମାନ ଭାରତ ସହିତ ଯୋଡି ହୋଇନାହାଁନ୍ତି। ଏପରିକି ଏସବୁ ଜିଲ୍ଲାରେ ଘରୋଇ ହସ୍ପିଟାଲଗୁଡିକ ଏହି ପ୍ରୋଗ୍ରାମରେ ସାମିଲ ହେବାକୁ ଅନାଗ୍ରହ ଦେଖାଉଛନ୍ତି। ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡକୁ ବାଦ୍ ଦେଲେ ଅଧିକାଂଶ ରାଜ୍ୟ ଅଧିକାଂଶ ରାଜ୍ୟ କେବଳ ଉନ୍ନତ ଜିଲ୍ଲାଗୁଡ଼ିକରେ ଘରୋଇ ହସ୍ପିଟାଲକୁ ଯୋଜନାରେ ସାମିଲ କରିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଜନସଂଖ୍ୟା ଅନୁଯାୟୀ ଡାକ୍ତରଙ୍କ ଅନୁପାତ 1456ରେ 1 ରହିଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ସୁପାରିସ ଅନୁଯାୟୀ ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା କଥା। ଏଥିରେ ଉନ୍ନତି ଆଣିବା ସକାଶେ ସରକାର ଜିଲ୍ଲାସ୍ତରୀୟ ହସ୍ପିଟାଲ ସହିତ ମେଡିକାଲ କଲେଜ ସଂଯୋଗ କରିବାକୁ ଘୋଷଣା କରିଛନ୍ତି। ସଂପ୍ରତି ଦେଶରେ 526ଟି ସରକାରୀ ମେଡିକାଲ କଲେଜ ରହିଛି। ଗତ ଦୁଇ ବର୍ଷ ଭିତରେ ଏସବୁ କଲେଜରେ ସିଟ୍ ସଂଖ୍ୟା 82 ହଜାରରୁ ବୃଦ୍ଧି କରି 1 ଲକ୍ଷ କରାଯାଇଛି। ସରକାରୀ ଏବଂ ଘରୋଇ ହସ୍ପିଟାଲ ମଧ୍ୟରେ ଅସମାନତା ଦିନକୁ ଦିନ ବଢିବାରେ ଲାଗିଛି। ଦେଶବ୍ୟାପୀ ପ୍ରାୟ 58 ପ୍ରତିଶତ ହସ୍ପିଟାଲ ଏବଂ 29 ପ୍ରତିଶତ ହସ୍ପିଟାଲ ବେଡ୍ ସଂଖ୍ୟା ଘରୋଇ କ୍ଷେତ୍ରରେ ହିଁ ରହିଛି। 81 ପ୍ରତିଶତ ଡାକ୍ତର ଘରୋଇ କ୍ଷେତ୍ରରେ ହିଁ ନିୟୋଜିତ ଅଛନ୍ତି। ହସ୍ପିଟାଲଗୁଡ଼ିକରେ ନ୍ୟାସନାଲ ବୋର୍ଡ ଏକଜାମିନେସ ଅଧିନରେ ପିଜି ପାଠ୍ୟକ୍ରମ ଯୋଗାଇ ଦେବାକୁ ସରକାର ଚାହୁଁଛନ୍ତି।
ଶିକ୍ଷା ଏବଂ ଜନ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଭୂମିକାକୁ କମାଇବା ପାଇଁ ଉଦ୍ୟମ ଚାଲିଛି। ସରକାରୀ ହସ୍ପିଟାଲଗୁଡ଼ିକରେ ଏମବିବିଏସ ପରେ ଉଚ୍ଚତର ଶିକ୍ଷା ଆଶାୟୀଙ୍କ ତାଲିମ ପାଇଁ ବିଶେଷ ସୁବିଧାସୁଯୋଗ ରହୁନାହିଁ। ଅଭିଜ୍ଞ ଚିକିତ୍ସକଙ୍କର ଅନେକ ଅଭାବ ରହିଛି। ଦେଶର କର୍ପୋରେଟ ହସ୍ପିଟାଲଗୁଡ଼ିକରେ ଶ୍ରେଷ୍ଠ ଉନ୍ନତ ମାନରେ ମେଡିକାଲ ଯନ୍ତ୍ରପାତି ରହିଛି। ସେମାନେ ସରକାରୀ ପ୍ରୋତ୍ସାହନର ବି ଅନେକ ଫାଇଦା ଉଠାଛନ୍ତି। ବିଦେଶରେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ମଧ୍ୟ କେତେକ ଘରୋଇ ହସ୍ପିଟାଲ ନେଇ ପାରୁଛନ୍ତି। ସେମାନଙ୍କର ସେବା ଉପଯୋଗ କରି ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ ପିଜି ପାଠ୍ୟକ୍ରମରେ ସେମାନଙ୍କର ଆଡମିଶନ କରିପାରୁଛି। ନିଷ୍ଠୁର ବାସ୍ତବତା ହେଉଛି ଯେ, ଅନେକ ମେଡିକାଲ ଛାତ୍ର ଡ୍ୟୁଟି ଡାକ୍ତର ଭାବେ ନିଯୁକ୍ତି ପାଉଛନ୍ତି ଏବଂ ରୋଗୀଙ୍କୁ ଦେଖିବା ଏବଂ ରୋଗ ସମ୍ପର୍କରେ ଜାଣିବାର ସୁଯୋଗ ନଦେଇ ସେମାନଙ୍କୁ ଗ୍ରାଜୁଏସନ ଡିଗ୍ରୀ ଦେଇ ଦିଆଯାଉଛି। ଏହାକୁ ଧ୍ୟାନରେ ରଖି ସରକାରୀ ଏବଂ ଘରୋଇ ସହଭାଗିତାରେ ଜିଲ୍ଲା ହସ୍ପିଟାଲଗୁଡ଼ିକ ସହ ମେଡିକାଲ କଲେଜ ସଂଯୋଗ କରିବାବୁ ନିତି ଆୟୋଗ ପ୍ରସ୍ତାବ ଦେଇଛି। ଅନେକ ଘରୋଇ ମେଡିକାଲ କଲେଜରେ ହସ୍ପିଟାଲ ନାହିଁ। ଏସବୁ ମେଡିକାଲ କଲେଜକୁ ହସ୍ପିଟାଲ ସ୍ଥାପନ ପାଇଁ ଶସ୍ତା ଦରରେ ଜମି ଯୋଗାଇ ଦେବାକୁ ନିତି ଆୟୋଗ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି। ତେବେ ଏହି ପ୍ରସ୍ତାବକୁ ନେଇ କିଛି ରାଜ୍ୟ ବିରୋଧୀ ମତ ରଖିଛନ୍ତି। ଜିଲ୍ଲା ହସ୍ପିଟାଲ ସହ ଘରୋଇ ମେଡିକାଲ କଲେଜର ସଂଯୋଗ ଡାକ୍ତର ଅଭାବ ପ୍ରକୃତରେ ପୂରଣ କରିପାରିବ କି,ଏହାକୁ ନେଇ ଅନିଶ୍ଚିତତା ରହିଛି।
ଅତ୍ୟନ୍ତ ଜରୁରୀ ମେଡିସିନ କ୍ଷେତ୍ରରେ ଭାରତରେ ଭିତ୍ତିଭୂମିର ଅଭାବ ରହିଛି। ଆସନ୍ତା 5 ବର୍ଷରେ ଅତ୍ୟନ୍ତ ଜରୁରୀ ମେଡିକାଲ ସେବା ଏବଂ ଭିତ୍ତିଭୂମି ସୃଷ୍ଟି ପାଇଁ ଭାରତକୁ 5,38,305 କୋଟି ଟଙ୍କା ଆବଶ୍ୟକ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଞ୍ଚଦଶ ଅର୍ଥ କମିସନଙ୍କ ନିକଟରେ ଏହି ପ୍ରସ୍ତାବ ରଖିଛି। ଏବେ ବି ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ନିର୍ମାଣ ଦିଗରେ ସେଭଳି ଆଖିଦୃଶିଆ ବ୍ୟୟ ବରାଦ ହେଉନାହିଁ। ପ୍ରାଥମିକ ସ୍ତରରେ ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବାକୁ ପଡ଼ିବ। ବିଶ୍ବର ସୁସ୍ଥ ରାଷ୍ଟ୍ରମାନଙ୍କ ତାଲିକାରେ ଭାରତର ସ୍ଥାନ ହେଉଛି 120। ସ୍ପେନ୍ ଏବଂ ଇଟାଲି ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଇଟାଲି ଏକ ରାଷ୍ଟ୍ର ଯେ କି କୋଭିଡ-19ରେ ସର୍ବାଧିକ ପ୍ରଭାବିତ ହୋଇଥିଲା। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କା 66, ବାଂଲାଦେଶ 91 ଏବଂ ନେପାଳ 110 ସ୍ଥାନରେ ରହିଛନ୍ତି। ଏମାନଙ୍କ ସ୍ଥିତି ଭାରତଠାରୁ ଭଲ ରହିଛି। ଆମ ଦେଶରେ ବର୍ତ୍ତମାନର ସ୍ବାସ୍ଥ୍ୟସେବାରେ କଣ ସବୁ ଦୋଷତ୍ରୁଟି ରହିଛି ତାହା ମହାମାରୀରୁ ହିଁ ଜଣାପଡିଯାଇଛି। ଭାଇରୋଲୋଜି ଲାବ୍ ଅଭାବରୁ ହିଁ ପ୍ରଥମ ଦୁର୍ବଳତା ପଦାକୁ ଆସିଛି। 1952ରେ ସ୍ଥାପିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି (NIV) ଭାରତରେ ସବୁଠାରୁ ବଡ଼ ଭାଇରୋଲୋଜି ଗବେଷଣା ପ୍ରତିଷ୍ଠାନ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଯୋଗରେ ଏହି ପ୍ରତିଷ୍ଠାନରେ ଭାଇରସନ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଗବେଷଣା କରାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ଯେ, ମହାମାରୀ ସମୟରେ ଏହା ହେଉଛି ଦେଶର ଏକମାତ୍ର ଅନୁଷ୍ଠାନ ଯାହା ଉପରେ ପୂରା ଦେଶ ନିର୍ଭର କରିବାକୁ ପଡୁଛି ।
ଏପରି ଅନୁଷ୍ଠାନ ପ୍ରତିଟି ରାଜ୍ୟରେ ସ୍ଥାପନ କରିବାର ଆବଶ୍ୟକତା ଥିବା ମହାମାରୀ ପ୍ରମାଣ କରି ଦେଇଛି। ରୋଗ ନିରୂପଣଜନିତ ମୃତ୍ୟୁ ରୋକିବା ଏବଂ ଏନେଇ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଦେଶର ପ୍ରତ୍ୟେକ ଭାଗରେ ଅଧିକ ସଂଖ୍ୟାରେ ଭାଇରୋଲୋଜି ଲାବ୍ ସ୍ଥାପନ କରାଯିବା ଉଚିତ୍। ଏଭଳି ଲାବ୍ ସ୍ଥାପନ ହେଲେ ଅଧିକ ସଂକ୍ରମିତ ହେଉଥିବା ରୋଗର କାରଣ ଚିହ୍ନଟ କରାଯାଇପାରିବ। ବିଶେଷ କରି କୋଭିଡ-19 ସମୟରେ ଏନଆଇଭି କୋରୋନା ଭୂତାଣୁ ସମ୍ପର୍କରେ ବ୍ୟାପକ ଗବେଷଣା କରିବା ସହିତ ଏହାର ସଂକ୍ରମଣ ଏବଂ ଲକ୍ଷଣ ନେଇ ମଧ୍ୟ ଗବେଷଣା କରିଛି। ବିମୁଦ୍ରୀକରଣ ଏବଂ ଜିଏସଟି ବ୍ୟବସ୍ଥା କାରଣରୁ ଘରୋଇ ଔଷଧ ଶିଳ୍ପ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ଅବସ୍ଥାରେ ଔଷଧ ଶିଳ୍ପକୁ ପ୍ରୋତ୍ସାହନ ଏବଂ ପୁଞ୍ଜି ବିନିଯୋଗର ସୁବିଧା ପ୍ରଦାନ କରିବା ଦରକାର। ଅଧିକାଂଶ ଔଷଧ ପାଇଁ ଚୀନ୍ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟସ ବା ଉପକରଣ ଯୋଗାଇଥାଏ। ସାମ୍ପ୍ରତିକ ସ୍ଥିତି କାରଣରୁ ଘରୋଇ ଫାର୍ମାସ୍ୟୁଟିକାଲ ଶିଳ୍ପର ପୁନଃରୁଦ୍ଧାର ଅତ୍ୟନ୍ତ ଜରୁରୀ। ଜନ ସ୍ବାସ୍ଥ୍ୟ ଏବଂ ଜାତୀୟ ବିକାଶ ପରସ୍ପର ପରିପୂରକ। ବର୍ତ୍ତମାନ ସମୟରେ ଦେଶର ସ୍ବାସ୍ଥ୍ୟ ଉଦ୍ୟୋଗକୁ ସୁଦୃଢ କରିବାକୁ ହେଲେ ନୀତି ପ୍ରଣୟନକାରୀଙ୍କୁ ଦୀର୍ଘ ମିଆଦୀ ଯୋଜନା ସହିତ କିଛିଟି କୋହଳ ନୀତି ଗ୍ରହଣ କରିବା ଆବଶ୍ୟକ।
ନିକଟରେ ହୋଇଥିବା ଏକ ଜାତୀୟ ସ୍ୟାମ୍ପୁଲ ସର୍ଭେରୁ ଜଣାଯାଇଛି ଯେ, ଅଧିକ ସଂଖ୍ୟାରେ ଭାରତୀୟ ମ୍ୟାଲେରିଆ, ଭାଇରାଲ ହେପାଟାଇଟିସ, ଝାଡ଼ାବାନ୍ତି, ଡେଙ୍ଗୁ, ଚିକେନଗୁନିଆ, ହାଡଫୁଟି, ମିଳିମିଳା, ଏନସେଫାଲିଟିସ, ଫିଲାରିସିସ, ଟାଏଫଏଡ୍ ଏବଂ ଯକ୍ଷ୍ମା ଆଦି ରୋଗ ଯୋଗୁଁ ଦୁର୍ବଳ ହୋଇପଡୁଛନ୍ତି। ଏସବୁ ରୋଗର ନିରାକରଣ ଦିଗରେ ସରକାର ଅଧିକ ପରିମାଣରେ ଅନୁଦାନ ଯୋଗାଇ ଦେବା ଉଚିତ୍। ଯଦି ଏସବୁ ସାଧାରଣ ସଂକ୍ରମିତ ରୋଗ ପାଇଁ ଏତେ ପରିମାଣରେ ପାଣ୍ଠି ଏବଂ ସମ୍ବଳ ଆବଶ୍ୟକ, ତେବେ କୋରୋନା ପରି ମହାମାରୀ ରୋକିବା ଦିଗରେ ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥା କେତେଦୂର ପ୍ରସ୍ତୁତ?