ହାଇଦ୍ରାବାଦ: ବିଶ୍ବରେ କୋରୋନା ଭାଇରସ ଦୀର୍ଘ 8 ମାସ ହେବ କାୟା ବିସ୍ତାର କରିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତଙ୍କୁ କୋରୋନା ଭାଇରସ ଆକ୍ରାନ୍ତ କରିସାରିଲାଣି । ଡିସେମ୍ବର 2019ରେ ଚୀନର ଉହାନ ସହରରେ ପ୍ରଥମେ ହୋଇଥିବା ସଂକ୍ରମଣ ଧିରେ ଧିରେ ସମଗ୍ର ବିଶ୍ବକୁ କବଳିତ କରିନେଇଛି । ବିଶ୍ବର 213ଟି ଦେଶକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ବର 20,024,265 ଲୋକଙ୍କୁ ଏହି ମହାମାରୀ କାବୁ କରିସାରିଲାଣି । ତେବେ ଭାରତରେ ମଧ୍ୟ ବର୍ତ୍ତମାନ କୋରୋନାର ସ୍ଥିତି ସେତେ ଭଲ ନାହିଁ । ଯଦିଓ ଭାରତରେ ଆରୋଗ୍ୟତା ହାର ଅଧିକା ରହିଛି ତଥାପି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାସହ ଦେଶରେ କୋରୋନା ପରୀକ୍ଷଣ ମଧ୍ୟ ବୃଦ୍ଧି ପାଇଛି । ଏପରି ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ ଦେଶର ଅନେକ ନେତା କୋରୋନା ବିରୁଦ୍ଧ ଲଢେଇରେ ନିଜେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବତନ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ କୋରୋନାର କବଳରେ କବଳିତ ।
ସୋମବାର ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୂଖାର୍ଜୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ନିଜେ ଟ୍ବିଟ କରି ଜଣାଇଛନ୍ତି ପୂର୍ବତନ ରାଷ୍ଟ୍ରପତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଅଗଷ୍ଟ 2ରେ କୋରୋନା ପଜିଟିଭ୍ ହୋଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ପ୍ରଥମ କେନ୍ଦ୍ର କ୍ୟାବିନେଟ ଭାବେ ଶାହା କୋରୋନା ଆକ୍ରାନ୍ତ ହୋଇଥିଲେ । ତେବେ ବର୍ତ୍ତମାନ ସେ ନେଗେଟିଭ୍ ଥିବା ମନୋଜ ତିୱାରୀ ଟ୍ବିଟ କରିଥିବା ବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପରୀକ୍ଷା ହୋଇନଥିବା କୁହାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିଲା । ଅମିତ ଶାହାଙ୍କ କ୍ୟାବିନେଟ ବୈଠକ ପରେ ଧର୍ମେନ୍ଦ୍ର ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଶାହାଙ୍କ ପରେ ଧର୍ମେନ୍ଦ୍ର ଦ୍ବିତୀୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଆକ୍ରାନ୍ତ ହୋଇଥିଲେ । ଏହାସହ ଓଡିଶାର ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିଛି ଲକ୍ଷଣ ନଥାଇ ମଧ୍ୟ ସାଂସଦ କୋଭିଡ ପଜିଟିଭ୍ ହୋଇଥିବା ଟ୍ବିଟ କରି ସୂଚନା ଦେଇଥିଲେ । ଏହାସହ ଓଡିଶାର 2 ବିଧାୟକ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । 77 ବର୍ଷିୟ ୟେଦିରୁପ୍ପା ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବାଙ୍ଗାଲୋରରେ ୟେଦିରୁପ୍ପା କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ସାକ୍ଷାତ କରିଥିଲେ । ଏହି ବୈଠକରେ ରାଜ୍ୟ ଗୃହମନ୍ତ୍ରୀ ବାସଭରାଜ ବମ୍ମାଇ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ସେ ହସ୍ପିଟାଲରୁ ହିଁ ଭର୍ଚୁଆଲ ବୈଠକରେ ଯୋଗ ଦେଉଛନ୍ତି । ଅନ୍ୟପକ୍ଷେ କର୍ଣ୍ଣାଟକ ପ୍ରଶାସନିକ ସେବା ଅଧିକାରୀ ଏଚ ଗଙ୍ଗାଧରାହୀ କୋଭିଡ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ତ୍ୟାଗ କରିଥିଲେ । ୟେଦିରୁପ୍ପା ଅଧିକାରୀଙ୍କ ପରିବାରର ଜଣକୁ ଚାକିରୀ ଦେବା ସହ ପରିବାରରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇଛନ୍ତି ।
କର୍ଣ୍ଣାଟକ କୃଷିମନ୍ତ୍ରୀ ବିସି ପଟେଲ ଓ ତାଙ୍କ ପତ୍ନୀ ଅଗଷ୍ଟ 1ରେ କୋରୋନା ପଜିଟିଭ ବାହାରିଥିଲେ । ଏହାପରେ ଦୁହେଁ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ଏଥିସହ କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ସିଟି ରବି ଓ କର୍ଣ୍ଣାଟକ ଜଙ୍ଗଲ ମନ୍ତ୍ରୀ ଆନନ୍ଦ ସିଂ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ । ଅନ୍ୟପକ୍ଷେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜୁନ 17ରେ କୋଭିଡ ପଜିଟିଭ ବାହାରିଥିଲେ । ପଜିଟିଭ ବାହାରିବାର ଗୋଟିଏ ଦିନ ପରେ ସେ ନେଗେଟିଭ ଥିବା ଜଣାପଡିଥିଲା । ଜୁନ 26 ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ।
ଅନ୍ୟପକ୍ଷେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତୀ ଚିଦାମ୍ବରମ ଅଗଷ୍ଟ 3ରେ କୋରୋନା ପଜିଟିଭ୍ ହୋଇଥିଲେ । ସେ ବର୍ତ୍ତମାନ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି । 48 ବର୍ଷିୟ କାର୍ତ୍ତୀ ଟ୍ବିଟ କରି ମଧ୍ୟମ ଲକ୍ଷଣ ଥିବା କହିଛନ୍ତି । ତାମିଲନାଡୁ ରାଜ୍ୟପାଳ ବନୱାରୀ ଲାଲ ପୂରୋହିତ ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ତାଙ୍କ ମଧ୍ୟରେ ମଧ୍ୟମ ଲକ୍ଷଣ ଥିବା ବେଳେ ହୋମ୍ ଆଇସୋଲେସନରେ ଥିବା ଜଣାପଡିଛି ।
ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ-19 ପଜିଟିଭ୍ ଚିହ୍ନଟ ହୋଇଥିଲେ । ଶିବରାଜ ହସ୍ପିଟାଲରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣୁଥିବାର ନଜର ଆସିଥିଲେ । ଏହାସହ 10 ଦିନ ହସ୍ପିଟାଲରେ ରହିଥିବା ସତ୍ତ୍ବେ ତାଙ୍କ କୋରୋନା ରିପୋର୍ଟ ଦ୍ବିତୀୟ ଥର ମଧ୍ୟ କୋଭିଡ ପଜିଟିଭ୍ ଆସିଥିଲା । ଅନ୍ୟପକ୍ଷେ ମଧ୍ୟପ୍ରଦେଶ ଜଳ ସମ୍ପଦ ମନ୍ତ୍ରୀ ତୁଲସୀ ସିଲାୱତ ଓ ତାଙ୍କ ପତ୍ନୀ କୋରୋନା ପଜିଟିଭ୍ ହୋଇଥିଲେ । ନିଜେ ଟ୍ବିଟର ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଥିଲେ ।
ଉତ୍ତରପ୍ରଦେଶର ଏକମାତ୍ର ମହିଳା କ୍ୟାବିନେଟ ମନ୍ତ୍ରୀ କମଲରାନୀ ବରୁଣଙ୍କ ଅଗଷ୍ଟ 2ରେ ଲକ୍ଷ୍ନୌର ଏକ ଡାକ୍ତରଖାନାରେ କୋଭିଡ-19ରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା । ଜୁଲାଇ 18 ରେ କୋଭିଡ-19 ପଜିଟିଭ୍ ହୋଇଥିଲେ ରାଜ୍ୟ ବୈଷୟିକ ଶିକ୍ଷା ମନ୍ତ୍ରୀ । ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ସେ କୋଭିଡ-19ରେ ମୃତ୍ୟୁ ବରଣ କରିଥିଲେ । ଉତ୍ତରପ୍ରଦେଶ ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂ କୋରୋନା ସଂକ୍ରମିତ ହୋଇଥିଲେ । ଜଳ ଶକ୍ତି ମନ୍ତ୍ରୀଙ୍କ ବ୍ୟତିତ ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ କୋରୋନା ସଂକ୍ରମିତ । ଏହାକୁ ମିଶାଇ ଉତ୍ତରପ୍ରଦେଶର ମୋଟ 9 ଜଣ ମନ୍ତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ, ରାଜେନ୍ଦ୍ର ପ୍ରତାପ ସିଂ, ଧରମ୍ ସିଂ ସାଇନି, ଚେତନ ଚୌହାନ, ଉପେନ୍ଦ୍ର ତିୱାରୀ, ରାଘୁରାଜ ସିଂ, ଜୟ ପ୍ରତାପ ସିଂ ।