ନୂଆଦିଲ୍ଲୀ: ହାଇ ଆଲର୍ଟରେ ନୌସେନା । ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ତଟୀୟ ସୁରକ୍ଷାକୁ କଡାକଡି କରାଯାଇଛି । ଦେଶର ସୁଦୀର୍ଘ 7514 କିମି ସମୁଦ୍ର ତଟରେ ସଜାଗ ରହିବାକୁ ନୌସେନାକୁ କୁହାଯାଇଛି । ଧାରା 370 ହଟିବା ପରେ କୌଣସି ଆତଙ୍କୀ ହାମଲା ଆଶଙ୍କା ନେଇ ନୌସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷ କରି ଦେଶର ପୂର୍ବ ଏବଂ ପଶ୍ଚିମ ତଟରେ ଅଧିକ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ମିଳିଛି । ଏହା ସହିତ ନିରୀକ୍ଷଣ ବ୍ୟବସ୍ଥା ନେଇ ଜବରଦସ୍ତ ବନ୍ଦୋବସ୍ତ କରାଯାଇଛି । ଏହା ସହିତ ସମ୍ବେଦନଶୀଳ ଅଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ମିଳିଛି ବୋଲି ନୌସେନା ପକ୍ଷରୁ ପ୍ରକାଶ ପାଇଛି ।
ଆତଙ୍କବାଦୀ ସଂଗଠନ ଜେଇଏମ (ଜୈଶ-ଇ-ମହମ୍ମଦ) ଭାରତରେ ଆକ୍ରମଣ ନେଇ ଷଡଯନ୍ତ୍ର କରୁଥିବା ଗୁଇନ୍ଦା ରିପୋର୍ଟ ମିଳିଥିବା ନୌସେନା କହିଛି ।