ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଚୀନରେ ଚାଲିଆସୁଥିବା ଉତ୍ତେଜନା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ଦୁଇ ଦେଶର ସୈନିକମାନେ ପୂର୍ବ ଲଦାଖରେ ପଛକୁ ଫେରିବେ। ସୋମବାର କମାଣ୍ଡର ସ୍ତରୀୟ ବୈଠକରେ ପ୍ରାୟ 11 ଘଣ୍ଟା ପାଇଁ ଏହାକୁ ନେଇ ବାର୍ତ୍ତାଳାପ ହୋଇଥିଲା ।
ସୋମବାର ଭାରତୀୟ ଓ ଚୀନ ସାମରିକ କମାଣ୍ଡୋଙ୍କ ମଧ୍ୟରେ 11 ଘଣ୍ଟିଆ ମାରାଥନ୍ ବୈଠକ ଆରମ୍ଭ ହୋଇଥିଲା। ଦୁଇ ଦେଶର କୋର୍ କମାଣ୍ଡରଙ୍କ ମଧ୍ୟରେ ଏହା ଥିଲା ଦ୍ବିତୀୟ ପ୍ରମୁଖ ବୈଠକ। ପ୍ରଥମ ବୈଠକ 6 ଜୁନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ଏହା ଗଲୱାନ ଉପତ୍ୟକାରେ ହିଂସାତ୍ମକ ବିବାଦ ପରେ ବସିଥିଲା ।
ସୂଚନାନୁସାରେ, ସୋମବାର ମୋଲ୍ଡୋରେ ଦୁଇ ଦେଶର ସାମରିକ କମାଣ୍ଡୋଙ୍କ ମଧ୍ୟରେ 11 ଘଣ୍ଟିଆ ଆଲୋଚନା ବେଳେ ତିକ୍ତତା ହ୍ରାସ କରିବାକୁ ସହମତି ପ୍ରକାଶ ପାଇଥିଲା କିନ୍ତୁ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଦୁଇ ଦେଶ ବର୍ତ୍ତମାନର ପରିସ୍ଥିତିରୁ କିପରି ପ୍ରତ୍ୟାହାର କରିବେ, ସେ ନେଇ ରାସ୍ତା ବାହାର କରାଯିବ । ତେବେ ଏଲଏସିରୁ ସାମରିକ ଉପକରଣ ପ୍ରତ୍ୟାହାର କରିବାକୁ ରାଜି ହୋଇଛି ଦୁଇ ଦେଶ ।
ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଚୀନ ରାଜି ହୋଇଛି। ତେବେ ଚୀନ ନିଜର ମନୋଭାବ ପରିବର୍ତ୍ତନ କରିଛି ନା ଅନ୍ୟ କୌଣସି ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛି, ସେ ନେଇ ଆକଳନ କରିବା ସହଜ ନୁହେଁ । କାରଣ ଜୁନ 6 ରେ ଚୀନ ଏହିସବୁ ସର୍ତ୍ତରେ ରାଜି ହୋଇଥିଲା କିନ୍ତୁ ପରେ ଗଲୱାନରେ କ’ଣ ଘଟିଥିଲା ସେ ନେଇ ସମସ୍ତେ ଅବଗତ ନିଶ୍ଚିତ ।