ଲେହ: ପୂର୍ବ ଲଦାଖକୁ ଲାଗିଥିବା ଚୀନ ସୀମାରେ ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଭାରତୀୟ ସେନା ଗତ 20 ଦିନ ମଧ୍ୟରେ ପିପୁଲ୍ସ ଲିବରେସନ ଆର୍ମିର ଷଡଯନ୍ତ୍ରକୁ ବିଫଳ କରିଆସୁଥିବା ବେଳେ ଚୀନ ସୀମାରେ ଥିବା 6ଟି ପାହାଡକୁ କବଜା କରିଥିବା ନେଇ ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଭାରତୀୟ ଯବାନ 6ଟି ବଡ ପାହାଡ ଉପରେ କବଜା କରିନେଇଛନ୍ତି । ଏଗୁଡିକ ମଧ୍ୟରେ ମାଗର ହିଲ୍, ଗୁରୁଙ୍ଗ ହିଲ୍, ରେଜାଙ୍ଗ ଲା ରାଚାନା ଲା, ମୋଖପରୀ ଓ ଫିଙ୍ଗର 4 ରିଜ ଲାଇନରେ ଥିବା ସବଠୁ ବଡ ଶୃଙ୍ଗ ସାମିଲ ରହିଛି । ଏହି ପର୍ବତମାଳାଗୁଡିକ ଦକ୍ଷୀଣରୁ ଉତ୍ତର ସୀମା ଯାଏଁ ଲମ୍ବିଛି । ତେବେ ସୀମାରେ ଜାରି ସଂଘର୍ଷ ମଧ୍ୟରେ ଚୀନ ବିରୋଧରେ ଏହା ଭାରତର ଏକ ବଡ ସଫଳାତା କୁହାଯାଇପାରେ ।
ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ଏଲଏସିରେ ପାହାଡ ଶୃଙ୍ଗ କବଜା କରିବା ପାଇଁ 29 ଅଗଷ୍ଟ ପରେ ଆରମ୍ଭ ହୋଇଥିଲା ସଂଘର୍ଷ । ଏହି ସମୟରେ ଚୀନ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ନିକଟ ଅଞ୍ଚଳକୁ କବଜା କରିବାକୁ ଚେଷ୍ଟା କରିଥିଲା ।
ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉପୁଜିଥିବା ଉତ୍ତେଜନା ଥମିବାକୁ ନାଁ ନେଉନାହିଁ । ଏଲଏସିରେ ଦୁଇ ଦେଶ ମଧ୍ୟରେ ଗତ 20 ଦିନ ମଧ୍ୟରେ 3 ଥର ଗୁଳିବିନିମୟ ହୋଇଛି । ଦୀର୍ଘ 45 ବର୍ଷ ପରେ ଏଲଏସିରେ ଗୁଳିବିନିମୟର ଘଟଣା ମଧ୍ୟ ବୁଧବାର ସାମ୍ନାକୁ ଆସିଥିଲା । ତେବେ ଚୀନ ଯେଉଁ ଭାଷାରେ ବୁଝିବ ଭାରତୀୟ ସେନା ସେହି ଭାଷାରେ ଜବାବ ଦେଉଛନ୍ତି ବୋଲି ଗୁରୁବାର ରାଜ୍ୟସଭାରେ ବୟାନ ଦେଇଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।