ନୂଆଦିଲ୍ଲୀ: 2023 ସୁଦ୍ଧା ସାର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଭାରତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା । ସେ କହିଛନ୍ତି ଯେ,ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଦେଶରେ 40 ହଜାର କୋଟି ଟଙ୍କା ବିନିଯୋଗରେ ନୂତନ ସାର ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯାଉଛି। ଯାହା ଆମଦାନୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ ।
ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମନିର୍ଭରଶୀଳ ଭାରତ ଏବଂ ସ୍ଥାୟୀ କୃଷି ଉପରେ ଏକ ୱେବିନାରକୁ ସମ୍ବୋଧିତ କରି ଗୌଡା କହିଛନ୍ତି ଯେ, ନିକଟରେ ସରକାର ଦେଶରେ ଚାରୋଟି ୟୁରିଆ ପ୍ଲାଣ୍ଟକୁ ପୁନର୍ଜୀବିତ କରିଛନ୍ତି। ମନ୍ତ୍ରଣାଳୟ ଦେଶରେ ଜୈବିକ ଏବଂ ନାନୋ ସାର ଉତ୍ପାଦନକୁ ଉତ୍ସାହିତ କରୁଛି କାରଣ ସେମାନେ 25 ରୁ 30 ପ୍ରତିଶତ ଶସ୍ତା ଏବଂ 18 ରୁ 35 ପ୍ରତିଶତ ଅଧିକ ଅମଳ ଦେଉଛନ୍ତି।
ମନ୍ତ୍ରୀ କୃଷକମାନଙ୍କୁ ୟୁରିଆକୁ ଦେଖିଚାହିଁ ବ୍ୟବହାର କରିବାକୁ କହିଥିଲେ କାରଣ ୟୁରିଆର ଅତ୍ୟଧିକ ବ୍ୟବହାର ମାଟିର ଗୁଣତାକୁ ନଷ୍ଟ କରିପାରେ। କୃଷକମାନଙ୍କୁ ସେମାନଙ୍କ ସଏଲ ହେଲଥ କାର୍ଡ ଅନୁଯାୟୀ ସାର ବ୍ୟବହାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।