ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତର ନୂଆ ମାନଚିତ୍ର ଜାରି କରିଛି । ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଏବେ ଭାରତର ନୂଆ ମାନଚିତ୍ର ଜାରି କରିଥିଲେ । ଯେଉଁଥିରେ କି ପାକିସ୍ଥାନ ଅଧିକୃତ କାଶ୍ମୀର (ପିଓକେ)ର ଅଂଶ ଭାରତର ଅଂଶ ଭାବରେ ଦର୍ଶାଯାଇଥିଲା । ଏହାକୁ ନେଇ ପାକିସ୍ତାନ ପ୍ରଶ୍ନ ଉଠାଇଥିଲା । ଏବେ ଭାରତର ଏହି ନୂତନ ମାନଚିତ୍ରକୁ ନେଇ ପଡୋଶୀ ଦେଶ ନେପାଳ ତୀବ୍ର ବିରୋଧ କରିଛି । ନୂଆ ମାନଚିତ୍ରରେ ‘କଳାପାଣି’କୁ ଭାରତୀୟ ଅଞ୍ଚଳରେ ସାମିଲ କରିଥିବାକୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ନେପାଳ ।
ରବିବାର ଦିନ ରିଲିଜ୍ ହୋଇଥିବା ନୂଆ ରାଜନୈତିକ ମାନଚିତ୍ରରେ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳ କଳାପାଣି ଓ ଲିପୁ ଲେଖକୁ ଭାରତୀୟ ମାନଚିତ୍ରରେ ସାମିଲ କରାଯିବା ପରେ ନେପାଳ ସରକାର ଘୋର ବିରୋଧ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ସାମ୍ନାକୁ ଆସିଲା ପରେ ନେପାଳ ସରକାରଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏବେ ନେପାଳ ସରକାର ସ୍ପଷ୍ଟ କରିଛନ୍ତି ଯେ ‘କଳାପାଣି’ ତାଙ୍କ ଦେଶର ଅବିଚ୍ଛେଦ୍ୟ ଅଂଶ । ଏହି ବିବାଦୀୟ ଅଞ୍ଚଳ ପାଇଁ ନୂଆଦିଲ୍ଲୀ ଓ କାଠମଣ୍ଡୁ ମଧ୍ୟରେ ଆଲୋଚନା ଚାଲିଥିବା କଥା ସୂଚନା ରହିଛି । ନେପାଳ ସରକାର ସ୍ପଷ୍ଟ କରିଛନ୍ତି ଯେ, ନିଜ ଅନ୍ତରାଷ୍ଟ୍ରୀୟ ସୀମାକୁ ରକ୍ଷା କରିବା ପାଇଁ ଦେଶ ପ୍ରତିବଦ୍ଧ ।
ଏହି ସୀମା ସମସ୍ୟାକୁ ଦୁଇଦେଶ ଐତିହାସିକ ଦସ୍ତାବିଜ୍ ଓ ଉପଯୁକ୍ତ ପ୍ରମାଣ ଆଧାରରେ କୁଟନୈତିକ ଭାବରେ ସମାଧାନ କରିବା ପାଇଁ ଚେଷ୍ଟା କରିବା ପାଇଁ ପ୍ରୟାସ କରୁଛନ୍ତି ।
ନେପାଳର ଏହି ଅଭିଯୋଗ ଉପରେ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତ ରବୀଶ କୁମାର ମତ ଉପସ୍ଥାପନା କରିଛନ୍ତି । ଭାରତ ନିଜର ସହଯୋଗୀ ପଡୋଶୀଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ବନ୍ଧ ଓ ଭାବନାର କଥାବାର୍ତ୍ତା କରି ସମସ୍ତ ସମସ୍ୟାର ସମାଧାନ ରାସ୍ତା ଖୋଜିବା ପାଇଁ ବଦ୍ଧପରିକର ବୋଲି କହିଛନ୍ତି । କଳାପାଣି, ଲିପୁଲେଖ ଓ ଲିମ୍ଫୁଆଧାର ନେପାଳର ଅଂଶ ବୋଲି କହିଛନ୍ତି ନେପାଳ ସରକାର । ଏହାସହ ଏହି ରାସ୍ତା ହିମାଳୟ ଦେଶ ସମୂହକୁ ସଂଯୋଗ କରୁଥିବା କଥା ମଧ୍ୟ କହିଛନ୍ତି । ନେପାଳର ଅଂଶ ଭାବରେ ସର୍ବେକ୍ଷଣ ବିଭାଗ ଦ୍ବାରା ଜାରି କରାଯାଇଥିବା କହିଛନ୍ତି ନେପାଳ ସରକାର । ଏହାସହ ଏହା ନେପାଳ ପାଇଁ ଏକ ସମ୍ବେଦନଶୀଳ ରାଜନୈତିକ ମୁଦ୍ଦା ଭାବରେ ଚର୍ଚ୍ଚାରେ ରହିଛି ।
ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କୌଣସି ଦେଶର ନାମ ନନେଇ ଏକ ସମାଧାନ ସୂତ୍ର ଉପସ୍ଥାପନ କରିଛନ୍ତି । ନିହିତ ସ୍ବାର୍ଥ ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ବାଧା ସୃଷ୍ଟି କରିବ । ମାତ୍ର ସମାନ ସମୟରେ, ଦୁଇ ଦେଶ ନିଜ ଭିତରେ ମତ ଭେଦ ସୃଷ୍ଟି କରୁଛନ୍ତି । ନେପାଳ ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ, କଳାପାଣି ସଂକ୍ରାନ୍ତରେ କୌଣସି ପ୍ରକାର ଏକତରଫା ନିଷ୍ପତ୍ତିକୁ ସ୍ବୀକାର କରାଯିବ ନାହିଁ ।
ଏହି ‘କଳାପାଣି’ ସମ୍ପର୍କରେ ପ୍ରାରମ୍ଭିକ ସମୟରେ ସତ୍ତାଧାରୀ ଓ ବିପକ୍ଷ ଦଳର ନେତା ଓ ଦେଶର ପ୍ରମୁଖ ନାଗରିକମାନେ ସୋସିଆଲ ମିଡିଆରେ ଜବରଦସ୍ତ ଭାବରେ ଆରୋପ ପ୍ରତ୍ୟୋରୋପ ଜାରି ରଖିଥିଲେ । ମଙ୍ଗଳବାର କାଠମାଣ୍ଡୁ ଔପଚାରିକ ଭାବରେ ଏହି ଘଟଣାରେ ଆପତ୍ତି ଜଣାଇଥିଲା । ପରେ ଏହାକୁ ନେଇ ନେପାଳୀ କଂଗ୍ରେସ ନେତା ଗଗନ ଥାପା ଏକ ଟ୍ବିଟ କରି ବିଦେଶ ମନ୍ତ୍ରୀ ଗ୍ୟାୱଲୀଙ୍କୁ ଅବଗତ କରାଇଛନ୍ତି । ଏହାସହ ଏହି ମୁଦ୍ଦା ଉପରେ ରାଜନୈତିକ ଶକ୍ତି ପ୍ରୟୋଗ କରି ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ସମସ୍ୟାର ସମାଧାନ କରିବା ସହ ଏକତା ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଓଲି ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ପୂର୍ବରୁ ଭାରତ ଦ୍ବି-ପାକ୍ଷିକ ସହମତିରେ ସମାଧାନ କରାଯିବ ଏବଂ ଏକତରଫା କାର୍ଯ୍ୟକଳାପ ନେପାଳ ସରକାରଙ୍କ ଦ୍ବାରା ଗ୍ରହଣୀୟ ହେବ ନାହିଁ ବୋଲି କହିଥିଲେ । ଏହାକୁ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ନେପାଳୀ କଂଗ୍ରେସ ନେତା ।