ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୁଇଟି ପଏଣ୍ଟରେ ସେନା ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଉଭୟ ଦେଶର ସୈନ୍ୟବାହିନୀର କମାଣ୍ଡୋ ଚୁସୁଲରେ ସାକ୍ଷାତ କରୁଛନ୍ତି, କିନ୍ତୁ ଏହା ବ୍ୟତୀତ ଗତ 3 ଦିନ ମଧ୍ୟରେ ଏଲଏସିର ଉଭୟ ପାର୍ଶ୍ବରେ ସେନାର ଉପସ୍ଥିତି ବୃଦ୍ଧି ପାଇଛି। ଯବାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯାହା ବିବାଦୀୟ ସ୍ଥିତିକୁ ପ୍ରତିଫଳିତ କରୁଛି ।
ସୂଚନାନୁସାରେ, ଭାରତୀୟ ସେନା ନିଜର ଉପସ୍ଥିତିକୁ ବହୁ ପରିମାଣରେ ମଜବୁତ କରିଛି । ଏହା ବ୍ୟତୀତ ଚୀନ ସେନା ଫିଙ୍ଗର ଅଞ୍ଚଳ ଓ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ମଧ୍ୟ ନିଜର ଉପସ୍ଥିତି ବୃଦ୍ଧି କରିଛି। ଗତ କିଛି ଦିନ ହେବ ଫିଙ୍ଗର-4 ବିଷୟରେ ଉଭୟ ଦେଶର ସୈନ୍ୟବାହିନୀରେ ଆଲୋଚନା ହୋଇଥିଲା। ଫିଙ୍ଗର-4କୁ ନେଇ ତିକ୍ତତା ବଢୁଛି କାରଣ ଚୀନ ସେନା ବର୍ତ୍ତମାନ ଏହାକୁ ଅଧିକାର କରିଛି । ଚୀନ ସେନା ଏଠାରୁ ପଛକୁ ଫେରୁନାହିଁ କିନ୍ତୁ ଏହି ସ୍ଥାନ ଉଭୟ ଦେଶରେ ପାଟ୍ରୋଲିଂ ପଏଣ୍ଟ ।
ଫିଙ୍ଗର-4 କୁ ଚୀନ ସେନା ଦ୍ବାରା ଜୋରଦାର କବଜା କରାଯାଉଛି । ଏହା ବ୍ୟତୀତ ଯେଉଁ 3ଟି ଅଞ୍ଚଳରେ ବିବାଦ ଦେଖାଦେଇଛି ସେଥିରେ ଗଲୱାନ ଉପତ୍ୟକା ସହ ପାଟ୍ରୋଲିଂ ପଏଣ୍ଟ-14 ମଧ୍ୟ ରହିଛି । ସେହିପରି ପାଟ୍ରୋଲିଂ ପଏଣ୍ଟ 15, 17A ରେ ମଧ୍ୟ ବିବାଦ ଜାରି ରହିଛି। ପାଙ୍ଗୋଙ୍ଗ ହ୍ରଦ ଅପେକ୍ଷା ଏହି ଅଞ୍ଚଳ ଗୁଡିକରେ ପରିସ୍ଥିତି କମ୍ ଉତ୍ତେଜନାପୂର୍ଣ୍ଣ ତେବେ ବିପଦ ନଥିବା ବେଳେ ଭାରତୀୟ ସେନାର ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ହୋଇଛି।
ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ, ପରବର୍ତ୍ତୀ ବାର୍ତ୍ତାଳାପ ଉପରେ ସମସ୍ତଙ୍କ ନଜର ରହିବ । ତେବେ ଏବେର ସ୍ଥିତି ଦେଖି ଅନୁମାନ କରାଯାଉଛି ଯେ, ପଛକୁ ଫେରିବା ପ୍ରକ୍ରିୟା ଶୀତଦିନେ ହିଁ ହୋଇପାରିବ କାରଣ ଶୀତଦିନେ ସୀମାରେ ଉପସ୍ଥିତ ରହିବା କଷ୍ଟକର । ବର୍ତ୍ତମାନ କିନ୍ତୁ ଦୁଇ ଦେଶ ସୈନ୍ୟ ବୃଦ୍ଧି କରୁଛି ।