ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ଉଭୟ ଚୀନ ଓ ଭାରତୀୟ ସେନା ପଛକୁ ଘୁଞ୍ଚିବା ପାଇଁ ସହମତି ପ୍ରକଟ କରିଛନ୍ତି । ଏନେଇ ସୋମବାର ଭାରତ ଏବଂ ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଏଲଏସିର ମାଲଡୋରେ ଦୀର୍ଘ 11 ଘଣ୍ଟାର ଏହି ବୈଠକରେ ଦୁଇ ଦେଶର ସେନା ନିଜର ଯବାନଙ୍କୁ ସୀମାରୁ ପ୍ରତ୍ୟାହାର ପାଇଁ ରାଜି ହୋଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଜୁନ 6ରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହୋଇସାରିଛି ।
ପ୍ରାୟ 11 ଘଣ୍ଟିଆ ଆଲୋଚନାରେ ଭାରତ ପକ୍ଷରୁ 14 କର୍ପସର କମାଣ୍ଡରର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ନେତୃତ୍ବ ନେଇଥିବାବେଳେ ଚୀନ ପକ୍ଷରୁ ତିବ୍ଦତ ମିଲିଟାରୀ ଜିଲ୍ଲା କମାଣ୍ଡର ମେଜର ଜେନେରାଲ ଲିୟୁ ଲିନଙ୍କ ପ୍ରତିନିଧିତ୍ବ କରିଥିଲେ ।
ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ କମ କରିବା ନେଇ ଆଲୋଚନା ହୋଇଥିଲା । ସୀମାରେ ସ୍ଥିତିରେ ସୁଧାରଆଣିବା ସହ ଚୀନ ସୈନିକଙ୍କୁ ପଛକୁ ଘୁଞ୍ଚିବାକୁ ଭାରତ ପକ୍ଷରୁ ଦାବି କରାଯାଇଛି । 6 ଜୁନରେ ହୋଇଥିବା ବୈଠକ ପରେ ଅନେକ ଅଞ୍ଚଳରେ ଚୀନ ସୈନିକ ସାମାନ୍ୟ ପଛକୁ ଘୁଞ୍ଚିଥିଲେ ସୁଦ୍ଧା ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଅନ୍ୟପକ୍ଷେ ସୀମାରେ ସ୍ଥିତି ପରିଖିବା ସହ ଭାରତୀୟ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଭାରତୀୟ ସ୍ଥଳସେନା ମୁଖ୍ୟ ଏମ.ଏମ ନର୍ଭାଣେ ମଧ୍ୟ ଲେହ ଗସ୍ତରେ ଅଛନ୍ତି ।