ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାରି ମାସ ହେଲା ସୀମା ବିବାଦ ଲାଗି ରହିଛି ଏବଂ ସେପଟେ ବେଜିଂ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ତାହାର ବିସ୍ତାରବାଦୀ ନୀତିକୁ ଆଗକୁ ବଢାଇବାରେ ଲାଗିଛି। ଏସବୁ ଭିତରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ କରିଥିବା ରଣନୀତିରେ ଭାରତ କେନ୍ଦ୍ର ବିନ୍ଦୁ ହୋଇ ରହିବ ବୋଲି ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ମତ ରଖିଛନ୍ତି। “ଆମେରିକା-ଭାରତ: ନୂଆ ନୂଆ ଚ୍ୟାଲେଞ୍ଜ ପାଇଁ ପଥ ପ୍ରଦର୍ଶନ” ଶୀର୍ଷକ ବିଷୟବସ୍ତୁ ଉପରେ ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ୍) ଦ୍ବାରା ଆୟୋଜିତ ସପ୍ତାହବ୍ୟାପୀ ଆଲୋଚନାରେ ଭାଗ ନେଇ ଆମେରିକାର ପରରାଷ୍ଟ୍ର ବିଭାଗ ଉପ ସଚିବ ଷ୍ଟିଫେନ୍ ବିଏଗୁନ କହିଛନ୍ତି ଯେ, ୱାଶିଂଟନର ନୂତନ ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତି ଆଧୁନିକ ବିଶ୍ବର ବାସ୍ତବ ଚିତ୍ର ପ୍ରତିଫଳିତ କରୁଛି ଏବଂ ଏହା ଅଞ୍ଚଳର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଆରୋପ କରୁଛି। ସେ କହିଛନ୍ତି ଯେ,“ ଏହା ମୁକ୍ତ ବଜାର ଉପରେ ମଧ୍ୟ ଗୁରୁତ୍ବ ଦେଇ ଆସୁଛି।”
“ଯେଉଁ ନୀତି ଓ ମୂଲ୍ୟବୋଧ ଆଧାରରେ ଭାରତ ସରକାର ଏବଂ ଭାରତୀୟ ଲୋକେ ଆମେରିକା ସରକାର ଏବଂ ଆମେରିକୀୟଙ୍କ ସହିତ ବନ୍ଧୁତା ସ୍ଥାପନ କରୁଛନ୍ତି ତାହାକୁ ଏଥିରେ ଗୁରୁତ୍ବ ଦିଆଯାଉଛି। ଏହାକୁ ସଫଳ କରିବା ସକାଶେ ଆମକୁ ଏ ଅଞ୍ଚଳରେ ପୂର୍ଣ୍ଣ ଉପଯୋଗ କରିବାକୁ ପଡ଼ିବ। ଏସବୁ ଭିତରେ ଅର୍ଥନୀତି ଏବଂ ପ୍ରତିରକ୍ଷା ସହଯୋଗ ଅଧିକ ଗୁରୁତ୍ବପୂର୍ଣ୍ଣ। ଆଉ ଏସବୁ କ୍ଷେତ୍ରରେ ଭାରତକୁ ରଣନୀତିର କେନ୍ଦ୍ରସ୍ଥଳରେ ରଖାନଗଲେ ଏସବୁ ସଫଳ ହେବା ସମ୍ଭବପର ନୁହେଁ। ଏହି କାରଣରୁ ମୋର ମତ ହେଉଛି ଭାରତକୁ ସାଥୀରେ ନନେଲେ ଆମେରିକା ପାଇଁ ଏହି ରଣନୀତି ସଫଳ ହେବନାହିଁ।”
ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ 2006-07ରେ ତାଙ୍କର ପ୍ରଥମ ଶାସନ କାଳ ସମୟରେ ଜାପାନର ପୂର୍ବ ଉପକୂଳରୁ ନେଇ ଆଫ୍ରିକାର ପୂର୍ବ ଉପକୂଳ ପର୍ଯ୍ୟନ୍ତ ଅଞ୍ଚଳ ଭିତରେ ଆସୁଥିବା ରାଷ୍ଟ୍ରଗୁଡ଼ିକୁ ନେଇ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନର ପ୍ରସ୍ତାବ ଆଣିଥିଲେ। ଲଦାଖରେ ଏବର୍ଷ ଜୁନ୍ ମାସରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରିପ୍ରେକ୍ଷୀରେ ଆମେରିକୀୟ ଅଧିକାରୀଙ୍କ ଏପରି ପ୍ରତିକ୍ରିୟା ଆସିଛି। 45 ବର୍ଷରେ ପ୍ରଥମ ଥର ପାଇଁ ପ୍ରକୃତ ନିଯନ୍ତ୍ରଣ ରେଖା(ଏଲଏସି)ରେ ଘଟିଥିବା ସଂଘର୍ଷରେ ଉଭୟ ପକ୍ଷରୁ ଯବାନଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଚୀନ୍ ସାଗର ଅଞ୍ଚଳରେ ବେଜିଂର ଆଧିପତ୍ୟ ବିସ୍ତାର ଆଭିମୁଖ୍ୟ କାରଣରୁ ଇତିମଧ୍ୟରେ ଆମେରିକା ଚାଇନା ନାଗରିକ ଏବଂ ଚାଇନା କମ୍ପାନି ଉପରେ ଗତମାସରେ ଭିସା କଟକଣା ଏବଂ ବାସନ୍ଦ ବ୍ୟବସ୍ଥା ଲାଗୁ କରିଛି।
ଗତ ଜୁଲାଇ ମାସରେ ଚୀନର ପିପୁଲସ ଲିବରେସନ ଆର୍ମି(ପିଏଲଏ)ର ନୌସେନା ଦକ୍ଷିଣ ଚୀନ୍ ସାଗରରେ ବିଭିନ୍ନ ସନ୍ଦେହାତ୍ମକ କାର୍ଯ୍ୟକଳାପ ଜରିଆରେ ନୌ ସମରଭ୍ୟାସ ଆରମ୍ଭ କରି ଦେଇଥିଲା। ପାରାସେଲ ଦ୍ବୀପପୁଞ୍ଜ ନିକଟରେ ଚୀନର ଏପରି କାର୍ଯ୍ୟକଳାପର ମୁକାବିଲା କରିବାକୁ ଯାଇଁ ଆମେରିକା ଦକ୍ଷିଣ ଚୀନ୍ ସାଗରରେ ତିନିଟି ପରମାଣୁ ଶକ୍ତି ସଂପନ୍ନ ବିମାନବାହୀ ଜାହାଜ ମୁତୟନ କରିଛି। ଦକ୍ଷିଣ ଚୀନ୍ ସମୁଦ୍ରରେ ଥିବା ସ୍ପ୍ରାଟଲେ ଏବଂ ପାରାସେଲ ଦ୍ବୀପପୁଞ୍ଜକୁ ନେଇ ଉକ୍ତ ଅଞ୍ଚଳ ଭିତରେ ଆସୁଥିବା ଅନ୍ୟ ରାଷ୍ଟ୍ରମାନଙ୍କ ସହ ଚୀନ୍ ଅନେକ ବିବାଦରେ ଘେରି ହୋଇ ରହିଛି। ସ୍ପ୍ରାଟଲେ ଆଇଲାଣ୍ଡକୁ ଦାବି କରି ଆସୁଥିବା ଅନ୍ୟ ଦେଶଗୁଡ଼ିକ ହେଲେ ବ୍ରୁନେଇ, ମାଲେସିଆ, ଫିଲିପାଇନସ, ତାଇୱାନ ଏବଂ ଭିଏତନାମ। ପାରାସେଲ ଆଇଲାଣ୍ଡକୁ ଭିଏତନାମ ଏବଂ ତାଇୱାନ ଦାବି କରି ଆସୁଛନ୍ତି।
2016ରେ ହଗ୍ ସ୍ଥିତ ଏକ ମଧ୍ୟସ୍ଥତା କୋର୍ଟ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଫିଲିପାଇନସର ଅଧିକାର ଉଲ୍ଲଂଘନ କରୁଥିବା ନେଇ ରାୟ ଦେଇଥିଲେ। ଦକ୍ଷିଣ ଚୀନ୍ ସାଗର ହେଉଛି ବିଶ୍ବରେ ଥିବା ସମସ୍ତ ଜାହାଜ ଚଳାଚଳ ମାର୍ଗ ମଧ୍ୟରେ ସର୍ବାଧିକ ବ୍ୟସ୍ତବହୁଳ ମାର୍ଗ। ସେଠାରେ ପାଣିଭିତରେ କୃତ୍ରିମ ଆଇଲାଣ୍ଡ ନିର୍ମାଣ କରି ଫିଲିପାଇନସର ମାଛମାରିବା ଏବଂ ପେଟ୍ରୋଲିୟମ ଉତ୍ତୋଳନ କ୍ଷେତ୍ରରେ ଅନୁପ୍ରବେଶ କରୁଥିବା ନେଇ କୋର୍ଟ ଚୀନକୁ ଅଭିଯୁକ୍ତ ଦର୍ଶାଇଥିଲେ। ଏ ଅଞ୍ଚଳରେ ମାଛମାରିବା ପାଇଁ ଚୀନର ମତ୍ସ୍ୟଜୀବୀଙ୍କୁ ବାରଣ କରିଥିଲେ। ଏହାପରେ ଜୁଲାଇ ମାସରେ ଭିଏତନାମ ଏବଂ ଫିଲିପାଇନସ ମଧ୍ୟ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ବାରମ୍ବାର ସାମୁଦ୍ରିକ ଆଇନ ଉଲ୍ଲଂଘନ କରୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହାବାଦ୍ ପୂର୍ବ ଚୀନ୍ ସାଗରରେ ସେନକାକୁ ଆଇଲାଣ୍ଡକୁ ନେଇ ଜାପାନ ସହ ମଧ୍ୟ ଚୀନର ବିବାଦ ରହିଛି। ଚୀନ୍ ଏହି ଆଇଲାଣ୍ଡକୁ ଦିଆଉ ନାମକରଣ କରି ତାହାକୁ ନିଜର ବୋଲି ଦାବି କରୁଛି।
ବିଏଗୁନ କହିଛନ୍ତି ଯେ,“ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତି ନେଇ ଆମେ ଯେତେ ଅଗ୍ରସର ହେଉଛୁ, ଭାରତ ଏହାକୁ ଅଧିକ ସୁଦୃଢ କରିବା ଦିଗରେ ପ୍ରବଳ ଆଗ୍ରହ ସହ ଦୃଢ ନେତୃତ୍ବ ନେଉଛି”। ସେ କହିଛନ୍ତି ଯେ, “ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଅଧିକ ବ୍ୟାପକ ହୋଇଛି। ଅର୍ଥନୈତିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗ ରହିଛି ଏବଂ ଏହାକୁ ଆଗକୁ ଆହୁରି ବଢାଇବା ପାଇଁ ବାଣିଜ୍ୟ କଟକଣାରେ କୋହଳ ବ୍ୟବସ୍ଥା ସମେତ ଅନେକ ପଦକ୍ଷେପ ନିଆଯାଉଛି”। “ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଆମେ ଅତ୍ୟନ୍ତ ନିକଟତର ହୋଇ କାମ କରୁଛୁ। ଅତି ନିକଟରେ ମାଲବାର ନୌ-ସମରାଭ୍ୟାସରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରି ଭାରତ ତା’ର ଅଭିପ୍ରାୟ ସ୍ପଷ୍ଟ ଭାବେ ସୂଚେଇ ଦେଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପଥରେ ସ୍ବାଧୀନତା ଏବଂ ସୁରକ୍ଷା ଦିଗରେ ମାଲବାର ନୌ-ସମରାଭ୍ୟାସ ଏକ ବିରାଟ ପଦକ୍ଷେପ”।
କ୍ବାଡ୍ରିଲ୍ୟାଟେରାଲ ସିକ୍ୟୁରିଟି ଡାଇଲଗ୍ ଗ୍ରୁପର ସଦସ୍ୟ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା,ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ କ୍ବାଡ୍ ଭାବେ ମଧ୍ୟ ପରିଚିତ। ଏହା ହେଉଛି ଏକ ଅନୌପଚାରିକ ଷ୍ଟ୍ରାଟେଜିକ୍ ଫୋରମ୍, ଯାହାର ଶୀର୍ଷ ବୈଠକ ନିୟମିତ ବ୍ୟବଧାନରେ ହୋଇଥାଏ। ସଦସ୍ୟ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ପ୍ରସ୍ତୁତି ନେଇ ତଥ୍ୟ ବିନିମୟ କରାଯାଉଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଆଧିପତ୍ୟ ବଢୁଥିବା ସ୍ଥିତିରୁ ଉକ୍ତ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ସହିତ ସମୁଦ୍ର ପଥକୁ ସୁରକ୍ଷିତ ରଖିବା ଦିଗରେ ଏହି ଫୋରମ୍ ଆଲୋଚନା ଜାରି ରଖିଛି। ଏହାସହିତ ମାଲବାର ସମରାଭ୍ୟାସ କରି ମିଳିତ ସାମରିକ ଶକ୍ତିର ଅଦଭୁତପୂର୍ବ ପ୍ରଦର୍ଶନ ବି କରାଯାଇଛି। କ୍ବାଡ୍ ପକ୍ଷରୁ କୂଟନୈତିକ ଏବଂ ପ୍ରତିରକ୍ଷା ସ୍ତରରେ ନିଆଯାଉଥିବା ପଦକ୍ଷେପ ଚୀନର ଅର୍ଥନୈତିକ ଏବଂ ସାମରିକ ଶକ୍ତି ବିରୁଦ୍ଧରେ ପ୍ରଦର୍ଶନ ବୋଲି ବିଭିନ୍ନ ମହଲରେ ବିଚାର କରାଯାଉଛି। ଚୀନ୍ କେବଳ ମାତ୍ର କ୍ବାଡର ସଦସ୍ୟ ରାଷ୍ଟ୍ରଙ୍କ ବିରୁଦ୍ଧରେ କୂଟନୈତିକ ସ୍ତରରେ ପ୍ରତିବାଦ କରି ଏହାର ଜବାବ ରଖିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018ରେ ସିଙ୍ଗାପୁରରେ ଅନୁଷ୍ଠିତ ଦଶ ରାଷ୍ଟ୍ର ବିଶିଷ୍ଟ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ(ଆସିଆନ୍) ସାଙ୍ଗ୍ରି-ଲା ସମ୍ମିଳନୀରେ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭବିଷ୍ୟତ ପାଇଁ ଆଗକୁ ଆସିଆନ ରାଷ୍ଟ୍ରଗୁଡ଼ିକ କେନ୍ଦ୍ର ବିନ୍ଦୁ ପାଲଟିବେ। ମୋଦିଙ୍କ ଏହି ମନ୍ତବ୍ୟକୁ ଦୃଷ୍ଟିରେ ରଖି ବିଏଗୁନଙ୍କ ବିବୃତିରେ, ଆମେରିକାର ଇଣ୍ଡୋ-ପ୍ୟାସିଫିକ୍ ରଣନୀତିରେ ଭାରତ କେନ୍ଦ୍ରସ୍ଥଳ ହେବ ବୋଲି କୁହାଯାଇଛି।
“କେବଳ ଭାରତ ନୁହେଁ, ଆସିଆନର ଅନ୍ୟ ରାଷ୍ଟ୍ର ମାନେ ମଧ୍ୟ ଇଣ୍ଡୋ-ପ୍ୟାସିଫିକରେ କେନ୍ଦ୍ର ବିନ୍ଦୁ ସାଜିବେ, ଅର୍ଥାତ୍ ଆସିଆନ୍ ପରିଚାଳିତ ସଂଗଠନ ଜରିଆରେ ଭାରତ-ପ୍ରଶାନ୍ତ ମହାସାଗରୀଯ ରାଷ୍ଟ୍ର ସମୂହର ବିଭିନ୍ନ ବିବାଦର ସମାଧାନ ହୋଇପାରିବ,” ବୋଲି ମ୍ୟାଁମାରରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ତଥା କୂଟନୀତିଜ୍ଞ ରାଜୀବ ଭାଟିଆ ଇଟିଭି ଭାରତକୁ କହିଛନ୍ତି।
“କିନ୍ତୁ ଅନ୍ୟପକ୍ଷରେ, ଆମେରିକାର ଇଣ୍ଡୋ-ପ୍ୟାସିଫିକ୍ ରଣନୀତିରେ ଭାରତ କେନ୍ଦ୍ରସ୍ଥଳ ହେବ ବୋଲି ୟୁଏସ୍ ଅଧିକାରୀ କହିବାର ଅର୍ଥ ହେଉଛି ଚୀନର ମୁକାବିଲା ପାଇଁ ଏ ଅଞ୍ଚଳ ସକାଶେ ୱାଶିଂଟନ ରଣନୀତିରେ ଭାରତର ସ୍ଥାନ ଅଧିକ ଗୁରୁତ୍ବପୂର୍ଣ୍ଣ”। ଭାରତ-ପ୍ରଶାନ୍ତ ମହାସାଗରୀୟ ବ୍ୟାପାର ପ୍ରତି ନିୟମିତ ନଜର ରଖୁଥିବା ଭାଟିଆ ଏପରି ଭାବେ ଆମେରିକୀୟ ଅଧିକାରୀଙ୍କ ବକ୍ତବ୍ୟକୁ ବୁଝାଇଛନ୍ତି।
ଅରୁଣିମ ଭୂୟାଁ