ନୂଆଦିଲ୍ଲୀ: ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ସେ ପ୍ରଧାନମନ୍ତ୍ରୀଙ୍କ ନୂଆ ସ୍କିମ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ପଶ୍ଚିମବଙ୍ଗକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି।
ଚୌଧୁରୀ କହିଛନ୍ତି ଯେ, ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହେଁ ଯେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ 6 ଟି ରାଜ୍ୟରେ 116 ଟି ଜିଲ୍ଲା ଅନ୍ତର୍ଭୁକ୍ତ ଏବଂ ଏହି କାର୍ଯ୍ୟକ୍ରମ 125 ଦିନ ପର୍ଯ୍ୟନ୍ତ ଜାରି ରହିବ। ହେଲେ ଏଥିରୁ ବାଦ ପଡିଛି ପଶ୍ଚିମବଙ୍ଗ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ମାନଦଣ୍ଡ ସେହି ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି ଯେଉଁଠାରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବନିମ୍ନ ପଚିଶ ହଜାର ହେବ। ଯେଉଁମାନେ ତାଲା ବନ୍ଦ ପରେ ନିଜ ନିଜ ଗ୍ରାମକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ପଶ୍ଟିମବଙ୍ଗରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ତାଲା ବନ୍ଦ ପରେ ନିଜ ଗାଁକୁ ଫେରି ଆସିଛନ୍ତି ଏବଂ ସେହି ଦିନଠାରୁ ସେମାନଙ୍କ ହାତରେ କାମଧନ୍ଧା ନାହିଁ।
ସବୁଠୁ ବଡ କଥା ହେଉଛି, ପଶ୍ଚିମବଙ୍ଗ ହେଉଛି ଭାରତର ଏକ ପ୍ରମୁଖ ରାଜ୍ୟ ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଛନ୍ତି। ହେଲେ ଏହି ଗରିବ କଲ୍ୟାଣ ରୋଜଗର ଅଭିଯାନରେ ରାଜ୍ୟରେ ଗୋଟିଏ ବି ଜିଲ୍ଲାକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ତେଣୁ ଅନୁରୋଧ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବାର ଅଧିକାର ଥିବା ଜିଲ୍ଲା ସଂଖ୍ୟାକୁ ପୁନଃ ମୂଲ୍ୟାଙ୍କନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଅଧୀର।