ନୂଆଦିଲ୍ଲୀ: କଂଗ୍ରେସ ରାଲିରେ ଲାଗିଲା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା । କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବଦଳରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମର୍ଥନରେ ନାରା ଲଗାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସାଧାରଣ ଲୋକଙ୍କ ସମେତ ବିରୋଧୀ ଦଳ ନେତା ଏହି ଭିଡିଓକୁ ସେୟାର କରି କଂଗ୍ରେସକୁ ସମାଲୋଚନା କରୁଛନ୍ତି ।
ସୂଚନା ମୁତାବକ, ରବିବାର ନୂଆଦିଲ୍ଲୀରେ କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ଏକ ରାଲି ଆୟୋଜନ କରିଥିଲେ । ଏହି ସମୟରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ନାରା ଲଗାଇଥିଲେ । ସେ ପ୍ରଥମେ ସୋନିଆ ଗାନ୍ଧୀ, କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ନାରା ଲଗାଇଥିଲେ । ଏହାପରେ ତାଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନରେ ନାରା ଲଗାଇବାର ଥିଲା । ହେଲେ ହଠାତ ସେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଭୁଲିଯାଇଥିଲେ ଏବଂ ତାଙ୍କ ବଦଳରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମର୍ଥନରେ ନାରା ଲଗାଇଥିଲେ। ଯାହାକୁ ଶୁଣିବା ପରେ ମଞ୍ଚରେ ଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେ ତାଙ୍କ ଭୁଲକୁ ଅନୁଭବ କରିପାରି ସଂସୋଧନ କରି ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦର ନାରା ଲଗାଇଥିଲେ।