ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡିଛି ଖରାପ ପାଣିପାଗର ପ୍ରଭାବ । ଯାହାକୁ ନେଇ ବିମାନ ବନ୍ଦରକୁ ଆସିବାକୁ ଥିବା 14ଟି ବିମାନକୁ ଡାଇଭର୍ଟ କରାଯାଇଛି । ଶନିବାର ସନ୍ଧ୍ୟାରେ ପାଗ ହଠାତ୍ ବଦଳିବା ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାକୁ ଥିବା 14 ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଛି।
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (DIAL) ରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ 14 ବିମାନ ଅବତରଣକୁ ଡାଇଭର୍ଟ କରାଯାଇଛି । ଏହି ସମସ୍ତ ବିମାନକୁ ଅନ୍ୟ ବିମାନ ବନ୍ଦରକୁ ପଠାଯାଇଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ଆଇଜି ବିମାନ ବନ୍ଦରରେ ପହଞ୍ଚୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖରାପ ପାଗ ଯୋଗୁଁ କିଛି ବିମାନ ସେବାରେ ବିଳମ୍ବ ହୋଇଛି ବୋଲି କୁହାଯାଉଛି।
ଏହାକୁ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ପାଗ ଖରାପ ହେବା ଦ୍ବାରା ପାଇଲଟ ବିମାନ ଅବତରଣ କରିବାରେ ଅସୁବିଧାର ସମ୍ମୁଖୀନ ହେବାରୁ 14 ଟି ବିମାନକୁ ବିଭିନ୍ନ ବିମାନ ବନ୍ଦରକୁ ପଠାଯାଇଥିଲା । ଯେଉଁଥିରେ ଲକ୍ଷ୍ନୌ , ଅହମ୍ମଦାବାଦ, ଅମୃତସର, ଜୟପୁର ବିମାନବନ୍ଦର ସାମିଲ ରହିଛି । ତେବେ ବର୍ତ୍ତମାନ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଅନ୍ୟ ବିମାନ ଗୁଡିକୁ ମଧ୍ୟ ଡାଇଭର୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ