ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରଶ୍ନର ତୀର ଚାଲିଲା । ସମାଲୋଚନା କରାଗଲା । ଏପରିକି ନିଖୋଜର ପୋଷ୍ଟର ମଧ୍ୟ ଲାଗିଲା । ତଥାପି ନଜର ଆସିଲେନି ବିହାରରେ ପ୍ରତିଷ୍ଠିତ ରାଜନୈତିକ ଦଳ ଆରଜେଡିର ଭବିଷ୍ୟତ କୁହାଯାଉଥିବା ତେଜସ୍ବୀ ଯାଦବ । ସେପଟେ ଜୁନ 28ରୁ ବିହାର ବିଧାନମଣ୍ଡଳର ବଜେଟ ଅଧିବେଶନ ଆରମ୍ଭ ହେବ । ଯଦି 28 ଭିତରେ ତେଜସ୍ବୀ ନଆସନ୍ତି ବିହାର ବିଧାନସଭାରେ ଆରଜେଡିର ନେତା କିଏ ହେବ ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ବିହାର ବିଧାନ ପରିଷଦରେ ଆରଜେଡିର ନେତୃତ୍ବ ରାବଡୀ ଦେବୀ ନେଉଥିବା ବେଳେ ବିଧାନସଭାରେ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତେଜସ୍ବୀ ତୁଲାଉଛନ୍ତି। କିନ୍ତୁ ନିର୍ବାଚନ ପରଠାରୁ ତେଜସ୍ବୀଙ୍କର ଖୋଜ ଖବର ନାହିଁ । ନା ସେ ସଭାସମିତି କରୁଛନ୍ତି ନା ଗଣମାଧ୍ୟମକୁ ଆସୁଛନ୍ତି । ତେବେ ଯଦି ସେ ଅଧିବେଶନରେ ଅନୁପସ୍ଥିତ ରୁହନ୍ତି ତ ବିଧାୟକ ଦଳ ନେତାଙ୍କ ଦାୟିତ୍ବ ଆଉ କାହାକୁ ହସ୍ତାନ୍ତର କରାଯିବ ବୋଲି ଚର୍ଚ୍ଚା ହେଉଛି ।
ଇତି ମଧ୍ୟରେ ମଧ୍ୟରେ ତେଜସ୍ବୀଙ୍କ ବଡ ଭାଇ ତଥା ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ରାଞ୍ଚି ଯାଇ ଲାଲୁଙ୍କୁ ଭେଟିଛନ୍ତି । ତେବେ ସେ ବିଧାନସଭାରେ ନୂଆ ଭୂମିକା ନିଭାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଜସ୍ବୀଙ୍କ ସ୍ଥାନରେ ତାଙ୍କୁ ବିଧାନସଭାରେ ଆରଜେଡି ନେତାର ଦାୟିତ୍ବ ମିଳିପାରେ ବୋଲି ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ ।