ମୁମ୍ବାଇ: କୋରୋନା କବଳରୁ ଦେଶକୁ ରକ୍ଷା କରିବାକୁ ସମଗ୍ର ଦେଶରେ ଜାରି ରହିଛି ଲକଡାଉନ । ଯେଉଁଥିପାଇଁ ସମସ୍ତଙ୍କୁ ଘରୁ ବାହାରିବାରୁ ମନା ହୋଇଛି । ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ, ବୈଷୟିକ ଅନୁଷ୍ଠାନ, ବଜାର ଘାଟ ବନ୍ଦ ରହିଛି । କେବଳ ଆବଶ୍ୟକତା ଥିବା ସାମଗ୍ରୀ ଆଣିବାକୁ କୁହାଯାଇଛି । ଆଉ ବିନା କାମରେ ଯିଏ ବାହାରକୁ ବାହାରୁଛି ସେମାନଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 24 ଘଣ୍ଟା ପୋଲିସ କର୍ମୀ ମାନେ ନିୟୋଜିତ ରହିଛନ୍ତି ।
ତେବେ ଦେଖିବାକୁ ଗଲେ ଜୀବନ ଯାତ୍ରା ଯେପରି ଏକ ପ୍ରକାର ଠପ ହୋଇଯାଇଛି । ଲୋକମାନେ ଗୃହ ବନ୍ଦି ହେଲାପରି ରହିଛନ୍ତି । ଯାହାକୁ ନେଇ ଦେଶର ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ସମବେଦନା ଜଣାଇ କହିଛନ୍ତି ଯେ, ‘ମୁଁ ବୁଝିପାରୁଛି ଲୋକମାନେ ଘରେ ରହିବା ସମୟରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୁଁ ଏଥିପାଇଁ ଦୁଃଖିତ କିନ୍ତୁ କୋଭିଡ-19କୁ ରୋକିବା ପାଇଁ ଘରେ ରହିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ’।
ତେବେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ତିବ୍ର ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1000 ପାର କରିସାରିଥିବାବେଳେ ମୃତକଙ୍କ ସଂଖ୍ୟା 66ରେ ପହଞ୍ଚିଛି ।