ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ଜନହିତକାରୀ କାର୍ଯ୍ୟରେ ଜନ ସଚେତନତା ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ ସକ୍ରିୟ ରାଜନୀତିରେ ନାହିଁ । କେବଳ ଦଳର ଜଣେ ସାଧାରଣ କର୍ମୀ ଭାବରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ।
ଝାନସୀ ସର୍କିଟ ହାଉସରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରହ୍ଲାଦ ମୋଦି କହିଛନ୍ତି ଯେ, ମୁଁ ନରେନ୍ଦ୍ର ମୋଦିଙ୍କ ଅନୁଗାମୀ ନୁହେଁ । ଆମେ ସ୍ବାଧୀନ ଭାବରେ କାମ କରୁଛୁ ଏବଂ ଆମ ପ୍ରେରଣା ହେଉଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛି । କିନ୍ତୁ କିଛିଟା କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଫଳରେ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏନେଇ ସେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ତେବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯୋଜନା କରୁଛନ୍ତି କି ପଚରାଯିବାରୁ ପ୍ରଧାନମନ୍ତ୍ରୀଙ୍କ ଭାଇ କହିଛନ୍ତି ଯେ ସେ ଏ ବିଷୟରେ ଚିନ୍ତା କରି ନାହାନ୍ତି । ଏବଂ ସେ ଏହା ସଫା ସଫା କହିଛନ୍ତି ଏବେ ସେ ଯେଉଁ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିଛନ୍ତି ତାହା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇନାହାନ୍ତି । ନିଜ ସ୍ବଇଚ୍ଛାରେ ସେ ଏହି କାମ କରୁଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ