ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦିଲ୍ଲୀର ସାଲିମାରବାଗ ଠାରେ ଆୟୋଜିତ ହୋଇଥିବା ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଏହି ଯାତ୍ରାର ଶୁଭାରମ୍ଭ କରି ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ଗାନ୍ଧୀ ସ୍ବଚ୍ଛତାର ପ୍ରତିନିଧି ଥିଲେ । ସ୍ବାଧୀନତା ପରେ କେବଳ ନରେନ୍ଦ୍ର ମୋଦି ହିଁ ଏପରି ଜଣେ ପ୍ରଧାନମନ୍ତ୍ରୀ ଯିଏ ସ୍ବଚ୍ଛତାକୁ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରିପାରିଛନ୍ତି । ଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ଇଂରେଜ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲା ବୋଲି ଗୃହମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି । ସେହିପରି ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ଜନସାଧାରଣଙ୍କୁ ସ୍ବଚ୍ଛତା ବାବଦରେ ଅବଗତ କରାଇଛନ୍ତି ।