ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ଆଜି ଦଳର ବରିଷ୍ଠ ନେତା ତଥା ଦଳର ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀଙ୍କୁ ତାଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟର ପ୍ରାୟ 45 ମିନିଟ ଧରି ଆଲୋଚନା ହୋଇଥିଲା । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ 2 ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ପ୍ରଥମତଃ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ଆସନ୍ତା 24 ତାରିଖ ଦିନ ଭିଡିଓ କନଫରେନ୍ସି ଯୋଗେ ଆଡଭାଣୀ ସ୍ବତନ୍ତ୍ର ସିବିଆଇ କୋର୍ଟରେ ନିଜ ପକ୍ଷ ରଖିବେ । ପୂର୍ବରୁ ଉମା ଭାରତୀ, କଲ୍ୟାଣ ସିଂ ହାଜର ହୋଇସାରିଥିବା ବେଳେ 23 ରେ ମୁରଲୀ ମନୋହର ଯୋଶୀ ଓ 24 ରେ ଆଡଭାଣୀ ଭିଡିଓ କନଫରେନ୍ସି ଯୋଗେ ହାଜର ହେବେ । ବର୍ତ୍ତମାନ ବାବ୍ରୀ ମସଜିଦ ମାମଲା ପ୍ରତିଦିନ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଶୁଣାଣି ହେଉଛି । ଯାହା ଆସନ୍ତା ଅଗଷ୍ଟ ଶେଷ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ବିଜେପିର ପିତାମହ ଭୀଷ୍ମ କୁହାଯାଉଥିବା ଆଡଭାଣୀ ଯେତେବେଳେ ସିବିଆଇ କୋର୍ଟରେ ହାଜର ହେବାକୁ ଯାଉଛନ୍ତି ଠିକ ତା ପୂର୍ବରୁ ଅମିତ ଶାହା ତାଙ୍କୁ ସାକ୍ଷାତ କରିବା ବେଶ ଗୁରୁତ୍ବ ବହନ କରୁଛି । ଦ୍ବିତୀୟତଃ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ପୁରୋଧା ହେଉଛନ୍ତି ଲାଲକୃଷ୍ଣ ଆଡଭାଣୀ । ଯେତେବେଳେ ଆସନ୍ତା 5 ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବାକୁ ଯାଉଛି ଆଡଭାନିଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥାଇ ପାରନ୍ତି ଅମିତ ଶାହା ।
ଏହା ସହ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମିତ ଶାହା ଆଡଭାନିଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଦଳୀୟ ପ୍ରସଙ୍ଗରେ କିଛି ପରାମର୍ଶ ମାଗିଛନ୍ତି ।