ଶ୍ରୀ ପି.ଭି. ନରସିଂହ ରାଓଙ୍କ ସହ ମୋର ପରିଚୟ 1988 ମସିହାରେ ହେଲା । ସେତେବେଳେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ ଏବଂ ମୁଁ ସାଉଥ୍ କମିଶନରେ ସେକ୍ରେଟାରୀ ଜେନେରାଲ ଥିଲି । ସେହି ସମୟରେ ସେ ଜେନେଭାକୁ ଆସିଥିବା ବେଳେ ଆମେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଲୁ । 1991 ମସିହାରେ ଯେଉଁଦିନ ସରକାର ଗଠିତ ହେଲା, ଶ୍ରୀ ପି.ଭି.ନରସିଂହ ରାଓ ମୋତେ ଡାକିଲେ ,ଏବଂ କହିଲେ, ‘ଆସନ୍ତୁ, ମୁଁ ଆପଣଙ୍କୁ ଅର୍ଥମନ୍ତ୍ରୀ ଭାବରେ ଚାହୁଁଛି’ । ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଅର୍ଥମନ୍ତ୍ରୀ ଭାବରେ ଶପଥ ନେବାକୁ ମୁଁ ରାଷ୍ଟ୍ରପତି ଭବନକୁ ଗଲି । ଅର୍ଥମନ୍ତ୍ରୀ ପଦ ଗ୍ରହଣ କରିବା ପୂର୍ବରୁ ମୁଁ ଶ୍ରୀ ନରସିଂହ ରାଓଙ୍କୁ କହିଥିଲି ଯେ କେବଳ ତାଙ୍କର ସଂପୂର୍ଣ୍ଣ ସମର୍ଥନ ପାଇଲେ ହିଁ ମୁଁ ଏହି ପଦଭାର ଗ୍ରହଣ କରିବି । ସାମାନ୍ୟ ମଜାଳିଆ ଢଙ୍ଗରେ ସେ ଉତ୍ତର ଦେଇଥିଲେ: ‘ଆପଣଙ୍କୁ ସବୁ ପ୍ରକାର ସ୍ବାଧୀନତା ମିଳିବ । ଯଦି ଆପଣଙ୍କ ନୀତି ସଫଳ ହୁଏ, ତେବେ ଆମେ ସମସ୍ତେ ଏହାର ଶ୍ରେୟ ନେବୁ । ଯଦି ବିଫଳ ହୁଏ ତେବେ ଆପଣଙ୍କୁ ପଦ ଛାଡ଼ିବାକୁ ପଡ଼ିବ ।’ ଶପଥ ଗ୍ରହଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ରାଓ ବିରୋଧୀ ଦଳ ନେତାମାନଙ୍କର ଏକ ବୈଠକ ଡାକିଲେ । ମୁଁ ସେମାନଙ୍କୁ ପ୍ରାକ୍ସୂଚନା ପ୍ରଦାନ କଲି । ମୋତେ ଲାଗିଲା ଯେ, ବିରୋଧୀ ଦଳ ସ୍ତମ୍ଭୀଭୂତ ହୋଇଯାଇଥିଲେ । ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋତେ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ । ଦେଶରେ ଅର୍ଥନୈତିକ ସଂସ୍କାର ଅଚାନକ ସମ୍ଭବ ହୋଇ ନଥିଲା । ସେ ସମୟର ରାଜନୈତିକ ନେତୃତ୍ବର ଦୂରଦୃଷ୍ଟି ବିନା ସେହି ଐତିହାସିକ ପରିବର୍ତ୍ତନ ସମ୍ଭବ ହୋଇନଥାଆନ୍ତା । ଆମର ଅର୍ଥନୈତିକ ନୀତିର ପୁନର୍ବିନ୍ୟାସ ଏବଂ ସାମାଜିକ ନ୍ୟାୟ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାର ଗୁରୁତ୍ବକୁ ଯେଉଁ ପ୍ରଥମ ରାଜନୈତିକ ନେତା ହୃଦୟଙ୍ଗମ କରିପାରିଥିଲେ ସେ ଥିଲେ ସ୍ବୟଂ ଇନ୍ଦିରା ଗାନ୍ଧି । ଏ ଦିଗରେ ସେ ନେଇଥିବା ପ୍ରାରମ୍ଭିକ ପଦକ୍ଷେପକୁ ଶ୍ରୀ ରାଜୀବଜୀ ଦୃଢ଼ତାର ସହ ଆଗକୁ ନେଇଥିଲେ ଏବଂ ସେ ନୂତନ ସୂଚନା ଯୁଗ ଆଗମନର ଗୁରୁତ୍ବ ଉପଲବ୍ଧି କରିଥିଲେ । ଶ୍ରୀ ରାଜୀବ ଗାନ୍ଧିଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଅମଳରେ, 1980 ଦଶକର ଦ୍ବିତୀୟାର୍ଦ୍ଧରେ ଅର୍ଥନୈତିକ ସଂସ୍କାର ଦିଗରେ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା ।
ଅର୍ଥନୈତିକ ସଂସ୍କାରର ବିଭିନ୍ନ ସୂକ୍ଷ୍ମ ଦିଗକୁ ହୃଦ୍ବୋଧ କରିବାରେ ନରସିଂହ ରାଓଜୀଙ୍କ ସାହସିକତାକୁ ଆମେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ଆବଶ୍ୟକ । 1991 ମସିହାରେ ଯେତେବେଳେ ପ୍ରଧାନ ମନ୍ତ୍ରୀ ନରସିଂହ ରାଓଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଗଠନ କରାଗଲା ଏବଂ ଯେତେବେଳେ ମୁଁ ଅର୍ଥମନ୍ତ୍ରୀ ପଦରେ ଥିଲି, ସେହି ସମୟରେ ହିଁ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା । ପ୍ରଧାନ ମନ୍ତ୍ରୀ ନରସିଂହ ରାଓଙ୍କ ନେତୃତ୍ବରେ ଆମେ ଉଭୟ ଅର୍ଥନୈତିକ ନୀତି କ୍ଷେତ୍ରରେ ଏବଂ ବୈଦେଶିକ ନୀତି କ୍ଷେତ୍ରରେ ଅନେକ ଅତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲୁ । ଆମେ ଆରମ୍ଭ କରିଥିବା ସଂସ୍କାରର ଏକ ମହତ୍ତ୍ବପୂର୍ଣ୍ଣ ଦିଗ ହେଲା ଯେ ଏଥିରେ ଭାରତୀୟ ଅଭିଜ୍ଞତାର ଅନନ୍ୟ ବୈଶିଷ୍ଟ୍ୟ ସମାହିତ ହୋଇଥିଲା । ଆମେ କୌଣସି ଏକ ପ୍ରଦତ୍ତ ସୂତ୍ରକୁ ଜାବୁଡ଼ି ଧରି ନଥିଲୁ ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ତତ୍କାଳୀନ ମହା ନିର୍ଦ୍ଦେଶକ ଶ୍ରୀ ମାଇକେଲ କାମ୍ଡେସସ୍ ଓ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମଧ୍ୟରେ ଏକ ବୈଠକ କଥା ମୋର ମନେ ପଡ଼େ । ନରିସଂହ ରାଓଜୀ ତାଙ୍କୁ କହିଲେ ଯେ, ଭାରତୀୟ ମୂଲ୍ୟବୋଧ ସଂପର୍କରେ ସଚେତନ ରହି ଭାରତରେ ସଂସ୍କାର କାର୍ଯ୍ୟକ୍ରମ କରିବାକୁ ହେବ । ଆମର ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଆମର କର୍ମଜୀବୀ ଲୋକଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବାକୁ ହେବ । ଆମେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ କହିଲୁ ଯେ, ଢାଞ୍ଚାଗତ ପରିବର୍ତ୍ତନ କାର୍ଯ୍ୟକ୍ରମ ଯୋଗୁଁ ଆମର କୌଣସି ଜଣେ ହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀ ନିଯୁକ୍ତି ହରାନ୍ତୁ ବୋଲି ଆମେ ଚାହିଁବୁ ନାହିଁ । ସଂସ୍କାରଧର୍ମୀ କାର୍ଯ୍ୟକ୍ରମକୁ ଆମ ଦେଶର ପ୍ରାଥମିକତାକୁ ସୁହାଇବା ଢଙ୍ଗରେ ସଂପାଦନ ପ୍ରତିଶ୍ରୁତି ପୂରଣ କରିବାରେ ଆମେ ସଫଳ ହୋଇଥିଲୁ ବୋଲି ମୋର ବିଶ୍ବାସ । ପ୍ରଧାନମନ୍ତ୍ରୀ ନରସିଂହ ରାଓଜୀ ଭାରତୀୟ ବୈଦେଶିକ ନୀତିରେ ବାସ୍ତବବାଦକୁ ଅଗ୍ରାଧିକାର ଦେଇଥିଲେ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସଂପର୍କରେ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ । ଚୀନ ସହ ଆମ ସଂପର୍କରେ ଥିବା କେତେକ ତିକ୍ତତାକୁ ଦୂର କରିବା ପାଇଁ ସେ 1993ରେ ଚୀନ ଗସ୍ତରେ ଯାଇଥିଲେ । ଭାରତ ଓ ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନ (SAARC)ର ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ଦକ୍ଷିଣ ଏସିଆ ମୁକ୍ତ ବ୍ୟାପାର ରାଜିନାମାରେ ସ୍ବାକ୍ଷର କରିଥିଲେ । ଅନେକ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ର ସହିତ ଭାରତର ସଂଯୋଗ ସ୍ଥାପନ କରି ସେ ଯେଉଁ ନୀତି ଆରମ୍ଭ କରିଥିଲେ, ପରବର୍ତ୍ତୀ ସମୟରେ ତାହା ଭାରତର “ଲୁକ୍ ଇଷ୍ଟ ପଲିସି” ନାମରେ ପରିଚିତ ହୋଇଥିଲା ।
ନରସିଂହ ରାଓଜୀଙ୍କ ନେତୃତ୍ବରେ, ଭାରତର ବାହ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଲାଗି, 1992 ମସିହାରେ ସରକାର ଉଚ୍ଚାକାଂକ୍ଷୀ ‘ବାଲିଷ୍ଟିକ୍ ମିସାଇଲ୍ ଟେକ୍ନୋଲୋଜି ପ୍ରୋଗ୍ରାମ’ ଆରମ୍ଭ କରିଥିଲେ ଏବଂ ‘ଅଗ୍ମେଣ୍ଟେଡ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ’ (ASLV) ଏବଂ ‘ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ’ (PSLV)କୁ ସଫଳତାର ସହ ପରୀକ୍ଷଣ କରିଥିଲେ । 1994ରେ ପୃଥ୍ବୀ କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରୂପେ ବିକଶିତ ହୋଇଥିଲା ।
ଅନେକ ଦୃଷ୍ଟିକୋଣରୁ ଜଣେ ବନ୍ଧୁ, ଦାର୍ଶନିକ ଏବଂ ପଥପ୍ରଦର୍ଶକ- ଭାରତର ଏହି ମହାନ ବରପୁତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରି ମୁଁ ଖୁବ୍ ଆନନ୍ଦିତ । ଖୁବ୍ ନିକଟରୁ ମୁଁ ତାଙ୍କୁ ଯେମିତି ଦେଖିଥିଲି, ରାଜନୀତି କ୍ଷେତ୍ରରେ ସେ ଥିଲେ ଜଣେ ପ୍ରକୃତ ସନ୍ନ୍ୟାସୀ । ସେ ଥିଲେ ଆମ ପରମ୍ପରା ଓ ନୀତିଶାସ୍ତ୍ରରେ ମଗ୍ନ ରହିଥିବା ଜଣେ ଆଧୁନିକତାବାଦୀ । ସେ ଥିଲେ ଜଣେ ବିରଳ ବିଦ୍ବାନ ଏବଂ ରାଷ୍ଟ୍ରନାୟକ, ଯେ କି କେବଳ ଆମ ଅର୍ଥନୀତିକୁ ନୁହେଁ ବରଂ ଆମ ବୈଦେଶିକ ନୀତିକୁ ମଧ୍ୟ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଥିଲେ । ଅନେକ ଭାଷାରେ ତାଙ୍କର ଦକ୍ଷତା କେବଳ ଏକ ଭାଷାତତ୍ତ୍ବ ଭିତ୍ତିକ ସାମର୍ଥ୍ୟ ନଥିଲା । ବାସ୍ତବରେ ଏହା ତାଙ୍କୁ ଏକ ସର୍ବଭାରତୀୟ ବ୍ୟକ୍ତିତ୍ବରେ ପରିଣତ କରିଥିଲା ଏବଂ କରିମନଗରରେ ହେଉ କି ପୁନେରେ, ବାରାଣସୀରେ ହେଉ କି ଦିଲ୍ଲୀରେ ସେ ସ୍ବଚ୍ଛନ୍ଦରେ ନିଜକୁ ପ୍ରତିପାଦିତ କରିପାରୁଥିଲେ ।
ଡ଼ଃ ମନମୋହନ ସିଂହ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ