ହାଇଦ୍ରାବାଦ: ଆପଣ ହିମାଳୟ ପର୍ବତମାଳାରେ ହିମ ମାନବ ରହିଥିବା ଶୁଣିଥିବେ । ଏମିତି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ହିମ ମାନବକୁ ଦେଖିବାର ମଧ୍ୟ ଦାବି କରନ୍ତି । ତଥାପି ଆଜି ପର୍ଯ୍ୟନ୍ତ ହିମମାନବ ରହିଥିବା ନେଇ କୌଣସି ପ୍ରମାଣ ମିଳି ନାହିଁ । କିନ୍ତୁ ହିମାଳୟ ଶିଖରରେ ହିମ ମାନବ ଥିବା ନେଇ ଦାବି କରିଛି ଭାରତୀୟ ସେନା ।
ଏନେଇ ସେନା ପକ୍ଷରୁ ହିମମାନବ ଥିବା ନେଇ କିଛି ଫଟୋ ଟ୍ବିଟରରେ ସେୟାର କରାଯାଇଛି । ଏହି ଫଟୋରେ ବରଫରେ ବଡ ବଡ ପାଦ ଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ଚିହ୍ନକୁ ହିମମାନବର ପାଦ ଚିହ୍ନ ବୋଲି ସେନା ଦାବି କରିଛି ।
ସେନା ଟ୍ବିଟ୍ କରି ଲେଖିଛି, ଗତ 9 ତାରିଖରେ ପ୍ରଥମ ଥର ପାଇଁ ସେନାର ପର୍ବତାରୋହଣ ଟିମ୍ ମକାଲୁ ବେସ୍ କ୍ୟାମ୍ପ ନିକଟରେ 32*15 ଇଞ୍ଚର ହିମମାନବର ପଦଚିହ୍ନ ଦେଖିବାକୁ ପାଇଥିଲା । ଏହା ପୂର୍ବରୁ ମକାଲୁ-ବରୋନ ଜାତୀୟ ପାର୍କରେ ଦେଖିବାକୁ ମିଳିଥିଲା ।
କହି ରଖୁଛୁ, ହିମ ମାନବ ହେଉଛି ଏକ ବିଶାଳ ମାନବ । ଯାହାର ଶରୀର ସମ୍ପୂର୍ଣ୍ଣ ଲୋମମୟ ହୋଇଥାଏ । ଚାଲିବା ଶୈଳୀ ମନୁଷ୍ୟ ଭଳି ହୋଇଥାଏ । ହିମ ମାନବ ତିବଦ୍ଦୀୟ କ୍ଷେତ୍ରରେ ବସବାସ କରନ୍ତି ବୋଲି କୁହାଯାଏ ।