ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ବନ୍ଦି ସଞ୍ଜୟଙ୍କୁ ଗିରଫ ପରେ ସିଦ୍ଦିପେଟ ଜିଲ୍ଲାରେ ଦେଖିବାକୁ ମିଳିଛି ହାଇ ଭୋଲ୍ଟେଜ ଡ୍ରାମା । ଦୁବକ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କ ଘରେ ଚଢାଉ ହେବାର କିଛି ଘଣ୍ଟା ପରେ ବନ୍ଦି ସଞ୍ଜୟଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ ।
ସୋମବାର ସିଦ୍ଦିପେଟରେ ପୋଲିସ ରଘୁନନ୍ଦନଙ୍କ ସମ୍ପର୍କୀୟଙ୍କ ଘରୁ ପାଖାପାଖି 20 ଲକ୍ଷ ଟଙ୍କା ଜବତ କରିଥିଲା । ହେଲେ ବିଜେପି ରାଜ୍ୟ ସଭାପତି ବନ୍ଦି ସଞ୍ଜୟ ଦାବି କରିଥିଲେ ଯେ ପୋଲିସ ଜାଣିଶୁଣି ରଘୁନନ୍ଦନଙ୍କୁ ବଦନାମ କରିବା ପାଇଁ ଏହି ଟଙ୍କା ରଖିଥିଲା । ଅନ୍ୟପକ୍ଷେ 12 ଲକ୍ଷ ଟଙ୍କା ବିଜେପି କର୍ମୀମାନେ ଲୁଟ କରିନେଇଥିବା ପୋଲିସ ଦାବି କରିଛି ।
ଘଟଣା ଆଗକୁ ବଢିବା ପରେ ବିଜେପି ସଭାପତି ତଥା କରିମନଗର ସାଂସଦ ବନ୍ଦି ସଞ୍ଜୟ ସିଦ୍ଦିପେଟ ଗସ୍ତ କରିଥିଲେ । ହେଲେ ଆଇନଶୃଙ୍ଖଳାର ଆଳ ଦେଖାଇ ପୋଲିସ ତାଙ୍କୁ ଗରିଫ କରିଥିଲା । ଏହା ପରେ କରିମନଗର ଆଣି ତାଙ୍କୁ ଛାଡିଥିଲା ପୋଲିସ । ତେବେ ପୋଲିସ କିଛି ବିଜେପି କର୍ମୀଙ୍କ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ଗଣମାଧ୍ୟମ ସହ ଆଲୋଚନା କରି ଘଟଣାକୁ ଗରିଫଦାରୀକୁ କଡା ନିନ୍ଦା କରିଥିଲେ ସଞ୍ଜୟ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ନିର୍ଦ୍ଦେଶରେ ରାଜ୍ୟ ପୋଲିସ ଏପରି କାମ କରିଛନ୍ତି । ଦୁବକରେ ଉପନିର୍ବାଚନ ହେବାକୁ ଥିବା ବେଳେ ସିଦ୍ଦିପେଟରେ ଚଢାଉ କରିବାର କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ କେସିଆରଙ୍କ ଫାର୍ମହାଉସରୁ ଟଙ୍କା ବଣ୍ଟା ଯାଉଥିବା ବେଳେ ସେଠାରେ ଚଢାଉ କରିବାକୁ ରାଜ୍ୟ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ବନ୍ଦି ସଞ୍ଜୟ ।
ଅନ୍ୟପକ୍ଷେ ବିନା ୱାରେଣ୍ଟରେ ପୋଲିସ ଘରେ ସର୍ଚ୍ଚ କରିଥିବା ଅଭିଯୋଗ କରିଛନ୍ତି ଦୁବକ ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାଓ । ତେବେ ପୋଲିସ ଜାଣିଶୁଣି ଟଙ୍କା ରଖି ଗିରଫ କରିବାକୁ ଚାହୁଁଥିବା ରଘୁନନ୍ଦନ ଦାବି କରିଛନ୍ତି ।ତେବେ ଘଟଣା ରେ ପୋଲିସ ବିଜେପି ନେତା ଜି ବିବେକ, ପି ଜିତେନ୍ଦ୍ର ରେଡ୍ଡିଙ୍କୁ ଗିରଫ କରି ହାଇଦ୍ରାବାଦ ପଠାଇଛି ।
ଘଟଣା ସମ୍ପର୍କରେ ଖବର ପାଇଁ ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀ ହାଇଦ୍ରାବାଦରୁ ସିଦ୍ଦିପେଟ ଗସ୍ତ କରିଛନ୍ତି । ସେ ରଘୁନନ୍ଦନ ଓ ଅନ୍ୟ ଦଳୀୟ ନେତାଙ୍କୁ ଭେଟିଥିଲେ । ବିଜେପି ରାଜ୍ୟ ସଭାପତି ବନ୍ଦି ସଞ୍ଜୟ ଓ ଅନ୍ୟ ନପୂର୍ବତନ ସାଂସଦଙ୍କୁ ଗିରଫ କରିବା ଅଗଣତାନ୍ତ୍ରୀକ ବୋଲି ଟ୍ବିଟ କରି କହିଛନ୍ତି କିଶାନ ରେଡ୍ଡୀ ।