ସିମଲା: ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ତୁଷାରପାତ ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାର ରାତିରୁ ରାଜ୍ୟରେ ପ୍ରବଳ ତୁଷାରପାତ ହେଉଥିବା ଜଣାପଡ଼ିଛି । ଫଳରେ ସାଧାରଣ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ମିଳିଥିବା ସୂଚନା ମୁତାବକ କୁଲ୍ଲୁ ଜିଲ୍ଲାର ରୋହତାଙ୍ଗ, ଲୋହୌଲ, ସ୍ପିତି ଆଦି ଅଞ୍ଚଳରେ ମଙ୍ଗଳବାର ରାତିରୁ ପ୍ରବଳ ମାତ୍ରାରେ ତୁଷାରପାତ ଜାରି ରହିଛି । ସେହିଭଳି କାଜାରେ ମଧ୍ୟ ହିମପାତ ଜାରି ରହିଛି । କାଜାରେ ବୁଧବାର ଅପରାହ୍ଣ ସୁଦ୍ଧା ପ୍ରାୟ 6 ଇଞ୍ଚର ବରଫ ଜମି ରହିଛି । ସେହିଭଳି ଡେରାରେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିଥିବା ଦେଖିବାକୁ ମିଳିଛି ।
କୋକସରାରେ ପ୍ରବଳ ବରଫପାତ କାରଣରୁ ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି । ଏଠାରେ କାର୍ଯ୍ୟରେ ନିୟୋଜିତ ଥିବା ରେସକ୍ୟୁ ଟିମର ଅଧିକାରୀ ପବନ କୁମାର କୁହନ୍ତି, ବୁଧବାର ଦ୍ବିପହର ସୁଦ୍ଧା ଏଠାରେ 6 ଇଞ୍ଚର ବରଫ ଜମା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ରୋହତାଙ୍ଗରେ ପ୍ରାୟ 2 ଫୁଟ ଉଚ୍ଚର ବରଫ ଜମା ହୋଇଥିବା ଜଣାପଡ଼ିଛି ।
ବୁଧବାର ସକାଳୁ ମନାଲିରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି । ଏହା ସହିତ କୋଠି, ଗୁଲାବ, ସୋଲଙ୍ଗନାଲାରେ ମଧ୍ୟ ସାମାନ୍ୟ ତୁଷାରପାତ ହୋଇଥିବା ଜଣାପଡ଼ିଛି । ଏହାଫଳରେ ଘାଟି ଅଞ୍ଚଳରେ ତାପମାତ୍ରା ମାଇନସକୁ ଖସି ଆସିଥିବା ଜଣାପଡ଼ିଛି ।